ଆଇଆଇଏମ୍‍ସିରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ…..

0
197

() ଆଇଆଇଏମ୍‍ସିରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ,

ଆବେଦନର ଶେଷ ତାରିଖ ମେ ୨୨…

{} ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ଓଡ଼ିଆ, ଉର୍ଦ୍ଦୁ, ମରାଠୀ ଓ ମାଲାୟଲମ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୩-୨୪ ଶିକ୍ଷା ବର୍ଷରେ ନାମଲେଖା ପାଇଁ ଇଚ୍ଛୁକ ଶିକ୍ଷାର୍ଥୀମାନେ ମେ ୨୨ ତାରିଖ ପୂର୍ବରୁ ଆବେଦନ କରିପାରିବେ । ଆଇଆଇଏମ୍‍ସିର ୱେବ୍‍ସାଇଟ୍‍ iimc.gov.inରେ ଆବେଦନ ପତ୍ର ଉପଲବ୍ଧ ରହିଛି । ଜୁନ ୧୮ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସଂସ୍ଥାନ ପକ୍ଷରୁ ସୂଚନା ଦିଆଯାଇଛି । ଆଇଆଇଏମ୍‍ସିର ଆଡ୍‍ମିଶନ ଇନ୍‍ଚାର୍ଜ ପ୍ରଫେସର ରାକେଶ କୁମାର ଗୋସ୍ୱାମୀ କହିଛନ୍ତି, ଆଇଆଇଏମ୍‍ସି ଢେଙ୍କାନାଳରେ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା, ନୂଆଦିଲ୍ଲୀ କ୍ୟାମ୍ପସ୍‍ରେ ଉର୍ଦ୍ଦୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା, କୋଟ୍ଟାୟମ୍‍ କ୍ୟାମ୍ପସ୍‍ରେ ମାଲାୟଲମ୍‍ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ଓ ଅମରାବତୀ କ୍ୟାମ୍ପସ୍‍ରେ ମରାଠୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯାଉଛି । ଏସବୁ ପାଠ୍ୟକ୍ରମରେ ନାମଲେଖା ପାଇଁ ଜୁନ ୧୮ ତାରିଖ ପୂର୍ବାହ୍ଣ ୧୧ଟାରୁ ୨ଟା ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ପ୍ରବେଶିକା ପରୀକ୍ଷାରେ ସାଧାରଣ ଜ୍ଞାନ ସହ ଗଣମାଧ୍ୟମ ଓ ଗଣ ଯୋଗାଯୋଗ ସମ୍ପର୍କିତ ପ୍ରଶ୍ନ ଆସିବ । ସେହିପରି ଜୁନ୍‍ ୩୦ରେ ପ୍ରବେଶିକା ପରୀକ୍ଷାର ଫଳାଫଳ ବାହାରିବାର ଅଛି । ତା’ପରେ ନାମଲେଖାର ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ ।

ପ୍ରଫେସର ଗୋସ୍ୱାମୀ ଆହୁରି କହିଛନ୍ତି, ଯେଉଁ ପ୍ରାର୍ଥୀମାନେ ମଞ୍ଜୁରୀପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ସେମାନେ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ । ସେହିପରି ସ୍ନାତକ ଶେଷ ବର୍ଷ ବା ଶେଷ ସେମିଷ୍ଟରର ଶିକ୍ଷାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ । ଯଦି ସେମାନେ ନାମଲେଖା ପାଇଁ ଚୟନ ହୁଅନ୍ତି, ତେବେ ସେମାନଙ୍କୁ ୨୦୨୩ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବିଶ୍ୱବିଦ୍ୟାଳୟ ବା ମହାବିଦ୍ୟାଳୟରୁ ଅରିଜିନାଲ ପ୍ରୋଭିଜିନାଲ୍‍ ମାର୍କ-ସିଟ୍‍ ବା ସାର୍ଟିଫିକେଟ୍‍ ଦେବାକୁ ହେବ । ଆଇଆଇଏମ୍‍ସି କାର୍ଯ୍ୟାଳୟରେ ଯାଞ୍ଚ ପାଇଁ ଅରିଜିନାଲ୍‍ ଡିଗ୍ରୀ ସାର୍ଟିଫିକେଟ୍‍ ଯଦି ଦାଖଲ କରନ୍ତି, ତେବେ ସେମାନଙ୍କୁ ଡିପ୍ଲୋମା ଉପାଧି ପ୍ରଦାନ କରାଯିବ ନହେଲେ ସେମାନଙ୍କ ନାମଲେଖାକୁ ଗ୍ରହଣ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

୧୯୯୩ ମସିହାରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନର ପ୍ରଥମ ଶାଖା ଢେଙ୍କାନାଳରେ ଖୋଲିଥିଲା । ସେହିଦିନଠାରୁ ଢେଙ୍କାନାଳ କ୍ୟାମ୍ପସ୍‍ରେ ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯାଉଛି । ସେହିପରି ୨୦୦୧-୨୦୦୨ ଶିକ୍ଷାବର୍ଷଠାରୁ ପ୍ରଥମ ଆଞ୍ଚଳିକ ଭାଷା ଭାବେ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ଦିଆହୋଇ ଆସୁଛି । ଏହାସହ ବିଭିନ୍ନ ସମୟରେ ସୂଚନା ସେବା ଅଧିକାରୀ ଓ ଲୋକସମ୍ପର୍କ ଅଧିକାରୀଙ୍କ ପାଇଁ ମଧ୍ୟ ତାଲିମ୍‍ କାର୍ଯ୍ୟକ୍ରମ ଆୟୋଜନ କରୁଛି ସଂସ୍ଥାନ । ଦେଶର ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ଆଇଆଇଏମ୍‍ସିର ଏକ ଉଲ୍ଲେଖନୀୟ ଭୂମିକା ରହିଛି । ଏଠାରୁ ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷାର୍ଥୀମାନେ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଗଣ ଯୋଗାଯୋଗ, ଗଣମାଧ୍ୟମ, ଲୋକସମ୍ପର୍କ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନରେ କାର୍ଯ୍ୟ କରୁଛନ୍ତି ।