କଂଗ୍ରେସ ଟାର୍ଗେଟରେ ମୋଦି-ନବୀନ….

- Advertisement -

ଭୁବନେଶ୍ୱର  –  କରୋନା ମୁକାବିଲା ସଂପୂର୍ଣ୍ଣ ବିଫଳ ହୋଇଥିବା କେନ୍ଦ୍ର ବିଜେପି ସରକାର ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ଖୁବ୍ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ମୋଦି ସରକାରଙ୍କ ୬ବର୍ଷ ନିରାଶା ଓ ହତାଶ ସମୟ ଭାବେ ଚଳନ୍ତି ଇତିହାସରେ ସ୍ଥାନ ପାଇସାରିଲାଣି । ଗତ ଦୁଇଦିନ ତଳେ ବିଜେପି ସଭାପତି ଜେପି ନଡ୍ଡା ଓ ଗତ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବର୍ତମାନର ବାସ୍ତବ ଚିତ୍ର ଦେବା ପରିବର୍ତେ ଏକ କାଳ୍ପିନିକ ଛବି ଉପସ୍ଥାପନ କରିଛନ୍ତି । ବିମୁଦ୍ରୀକରଣ ଓ ତ୍ରୁଟିପୂର୍ଣ୍ଣ ଭାବରେ ଜିଏସଟି ଆଇନ୍ ଲାଗୁ କରିବା ଯୋଗୁ କୋଟି କୋଟି ଜନସାଧାରଣ ନିଯୁକ୍ତି ହରାଇବା ସହିତ ବହୁ ସଂପୂର୍ଣ୍ଣ ବ୍ୟବସାୟ ଜଗତ ଅପୂରଣୀୟ କ୍ଷତିର ସମ୍ମୁଖିନ ହେଲେ । ଏ ସମ୍ପର୍କରେ ନା ନଡ୍ଡା ପଦୁଟିଏ କହିଲେ ନା ମୋଦି ।
ଯେଉଁଭଳି ଭାବେ ତତ୍‌କ୍ଷାଣିକ ଲକଡାଉନ ଘୋଷଣା କରାଗଲା, ତାହା କୋଭିଡ୍ ସ୍ଥିତିକୁ ଅଧିକ ସଙ୍ଗୀନ ତଥା କୋଟି କୋଟି ପ୍ରବାସୀ ଶ୍ରମିକମାନଙ୍କୁ ବେଘର କରିବା ସହିତ କ୍ଷୁଧାର ଜ୍ୱାଳା ଭିତରକୁ ନିକ୍ଷେପ କରିଛି । ରାସ୍ତାରେ ଚାଲି ଚାଲି କ୍ଷୁଧା ଓ ତୃଷାରେ ଆଉଟୁ ପାଉଟୁ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିର ମୃତ୍ୟୁର ପାପ ନରେନ୍ଦ୍ର ମୋଦି ସରକାରଙ୍କ ମୁଣ୍ଡରେ ଯିବ । ଦେଶର ଅର୍ଥନୀତିକୁ ମୋଦି ସରକାର ରସାତଳଗାମୀ କରିସାରିଲେଣି । ୫ ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ୱପ୍ନ ବଂଟନ କରୁଥିବା ମୋଦି ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତି ଯୋଗୁ ଦେଶର ସ୍ଥିତି ଦିନକୁ ଦିନ ଖରାପ ହେବାକୁ ଯାଉଛି । ଊତ୍ପାଦନ ଓ ନିର୍ମାଣ କ୍ଷେତ୍ରରେ ସଙ୍କୋଚନ ଯୋଗୁ ଦେଶର ବିକାଶ ହାର ଭୟଙ୍କର ଭାବରେ ବାଧାପ୍ରାପ୍ତ ହୋଇଛି । ଗତ ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ତ୍ରୈମାସ ବା ଚଳିତ ବର୍ଷର ଜାନୁୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଥମ ତିିନ ମାସରେ ରାଷ୍ଟ୍ରର ସକଳ ଘରୋଇ ଉତ୍ପାଦ ବା ବିକାଶ ହାର ୩ ଦଶମିକ ୧ ପ୍ରତଶତକୁ ଖସିଆସିଛି । ତା’ ପୂର୍ବ ତ୍ରୈମାସ ଅର୍ଥାତ ଅକ୍ଟେବାରରୁ ଡିସେମ୍ବର ମଧ୍ୟରେ ବିକାଶ ହାର ୪ଦଶମିକ ୧ ପ୍ରତିଶତ ଥିଲା । ୨୦୧୮-୧୯ ଆର୍ଥିକ ବର୍ଷର ଶେଷ ତ୍ରୈମାସରେ ବିକାଶ ହାର ୫ଦଶମିକ ୭ ଥିଲ । ଏହି ବିକଳ ଆର୍ଥିକ ଚିତ୍ର କୋଭିଡ୍‌-୧୯ ଲକ୍‌ଡାଉନ ପୂର୍ବର । ଏଥିରୁ ଅନୁମାନ କରାଯାଇପାରେ ଯେ ଅର୍ଥନୀତି ପରିଚାଳନାରେ ମୋଦି ସରକାର କେତେ ପାରଙ୍ଗମ!
ମୋଦି ସରକାରଙ୍କ ଆର୍ଥିକ ପରିଚାଳନାକୁ ର୍ପୂବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ, ଉର୍ଜିତ୍ ପଟେଲ ଓ ଭିରାଲ ଆଚାର୍ଯ୍ୟ ପ୍ରଭୃତି ସେମାନଙ୍କର ପଦ ତ୍ୟାଗ କରି ଏକ ପ୍ରକାର ପ୍ରତ୍ୟାଖ୍ୟାନ କରିଛନ୍ତି । ବିଦେଶରେ ଗଚ୍ଛିତ ଥିବା କଳାଧିନରୁ ୧୫ ଲକ୍ଷ ଟଙ୍କା ପ୍ରତ୍ୟେକ ଦେଶବାସୀଙ୍କ ବ୍ୟାଙ୍କ ଖାତାକୁ ଆଣିବା କେବଳ ଏକ ଜୁମ୍‌ଲା ଥିଲା ଖୋଦ୍ ଅମିତ୍ ଶାହା ସ୍ୱୀକାର କରିଛନ୍ତି । ଏହା ସହିତ ଚାଷୀଙ୍କ ଆୟ ୨ ଗୁଣ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି, ବ୍ୟବସାୟ, ବାଣିଜ୍ୟ ଓ ଆମଦାନି ରପ୍ତାନୀକୁ ଆଗକୁ ନେବାରେ କେନ୍ଦ୍ରର ମୋଦି ସରକାର ସଂପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି । ନଭେମ୍ବର ୨୦୧୬ ମସିହାରେ ଆକସ୍ମିକ ଭାବରେ ବିମୁଦ୍ରାୟନ କରି ଦେଶର ଅର୍ଥନୀତିକୁ ଧୂଳିସାତ କରିଥିବା ମୋଦି ସରକାର ବେରୋଜଗାରୀକୁ ୪୫ ବର୍ଷର ରେକର୍ଡ ଭାଙ୍ଗି ୨୪ ପ୍ରତିଶତରେ ପହଂଚାଇବାର ସଂପୂର୍ଣ୍ଣ ଶ୍ରେୟ ନିଜ ଉପରକୁ ନେବା ଦରକାର । ଆଜି ଶ୍ରମିକ ବେସାହାରା, ଚାଷୀକୁ ତା’ର ଉପଯୁକ୍ତ ପ୍ରାପ୍ୟ ମିଳୁନାହିଁ, ଲକ୍ଷ ଲକ୍ଷ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ସଂପୂର୍ଣ୍ଣ ଭାବରେ ଅଚଳ, ବ୍ୟବସାୟ ଠପ୍‌, ମଧ୍ୟବିତ ଓ ନିମ୍ନମଧ୍ୟବିତ ପରିବାରଙ୍କ ରୋଜଗାର ସଂକଟ ଭିତରେ ଥିବା ବେଳେ ‘ଆତ୍ମନିର୍ଭର ଭାରତ’ର ସ୍ଲୋଗାନ ଦେଶ ପାଇଁ ଏକ ବ୍ୟଙ୍ଗ ଛଡା ଅନ୍ୟ କିଛି ନୁହେଁ ।
ବର୍ତମାନ ଆସିବା ଓଡିଶା ସରକାରଙ୍କ ପାରିବା ପଣିଆ ଉପରେ – କୋଭିଡ୍‌-୧୯ ଲକଡାଉନ ନବୀନ ପଟ୍ଟନାୟକ ସରକାରଙ୍କ ପାରିବାପଣିଆ ପଦାରେ ପକାଇ ଦେଇଛି । ରାଜ୍ୟରେ କାମଧନ୍ଦା ନପାଇ ପ୍ରବାସରେ ପେଟ ଚାଖଣ୍ଡକ ପାଇଁ ଲକ୍ଷ ଲକ୍ଷ ଓଡିଆ ଲୋକ କଠିନ ତଥା ଅସ୍ୱାସ୍ଥ୍ୟକର ପରିବେଶରେ ଦିନକୁ ୧୨ରୁ ୧୮ ଘଂଟା କାମ କରିବା ଭଳି ନିଷ୍ଠୁର ସତ୍ୟ ଏବେ ଜଣାପଡିଲା । ବଲିଉଡ୍ ଅଭିନେତା ସୋନୁ ସୁଦ୍ କେରଳରେ କାମ କରୁଥିବା କେନ୍ଦ୍ରାପଡାର ୧୬୯ ଜଣଙ୍କୁ ଉଦ୍ଧାର କରିବା ଓ ନବରଙ୍ଗପୁରର ଝିଅ କଂଗ୍ରେସ ଦଳର ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ଦ୍ୱାରା ଉଦ୍ଧାର ହେବା ପରେ ଆଉ ଏକ ସତ୍ୟ ସାମ୍ନାକୁ ଆସିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ କଲେଜ ପାଠ ଅଧାରୁ ଛାଡି ପରିବାର ଚଳାଇବା ଲାଗି ପ୍ରବାସୀ ହୋଇ ଯାଇଥିଲେ । ଏହା ପ୍ରମାଣ କରୁଛି ଯେ ରାଜ୍ୟର ଗ୍ରାମାଚଂଳରେ ଦିନକୁ ଦିନ ଦାରିଦ୍ର‌୍ୟର ଉତ୍ପୀଡନ ବଢିବାକୁ ଲାଗିଛି । ଲୋକଦେଖାଣିଆ ଭାବରେ ରାଜ୍ୟ ସରକାରଙ୍କ ୧୯ ଏପ୍ରିଲ୍‌ରେ ସରପଂଚଙ୍କୁ ଜିଲ୍ଲାପାଳର କ୍ଷମତା ନିଷ୍ପତି ଏକ ପ୍ରବଚଂନାରେ ପରିଣତ ହୋଇଛି । ପ୍ରତ୍ୟେକ ପଂଚାୟତରେ ସଙ୍ଗରୋଧ ଗୃହରେ ହେଉଥିବା ଅବ୍ୟବସ୍ଥା ଚରମ ସୀମାରେ ପହଂଚିଛି ଓ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ କାର୍ଯ୍ୟ କରୁଛି । ଜିଲ୍ଲାପାଳଙ୍କ କ୍ଷମତା ନାଁରେ ସରପଂଚଙ୍କର ରିମୋର୍ଟ ବିଡିଓଙ୍କ ହାତରେ ଦିଆଯାଇଛି । ସରକାର ଘୋଷଣା କରିଥିବା ଅର୍ଥ ସହାୟତା ରାଶି ବର୍ତମାନ ସୁଦ୍ଧା ପଂଚାୟତମାନଙ୍କୁ ଦିଆଯାଇନାହିଁ । କରୋନା ବିପତି ସମୟରେ ଟ୍ରକ ଟ୍ରକ କୋଭିଡ ମୁକାବିଲା ପାଇଁ ଆସିଥିବା ସୁରକ୍ଷା ସଂରଞ୍ଜାମ (ପିିପିଇ) କିଟ୍ ସରକାର ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କୃଷି କ୍ଷେତ୍ରରୁ ଲୋକ ଦୂରେଇ ଯିବା, ରାଜ୍ୟରେ ଲକ୍ଷ ଲକ୍ଷ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବନ୍ଦ ହେବା ବା ଋଗ୍‌ଣ ଅବସ୍ଥାକୁ ଚାଲିିଯିବା ଏ ସରକାରଙ୍କର ନିକ୍କମାପଣିଆକୁ ପଦାରେ ପକାଇଛି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି ।
ପ୍ରବାସୀ ଶ୍ରମିକମାନଙ୍କର ସମସ୍ୟାର କାରଣ ନିଜେ ପ୍ରଧାନମନ୍ତ୍ରୀ ମୋଦି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍‌ଗୋ । ଉପଯୁକ୍ତ ସମୟ ନଦେଇ ଲକ୍‌ଡାଉନ୍ ଭଳି ଏକ ଦିଶାହୀନ ନିଷ୍ପତି ଫଳରେ ପ୍ରବାସୀ ଶ୍ରମିକମାନେ ଅକଥନୀୟ ଯନ୍ତ୍ରଣାର ସମ୍ମୁଖିନ ହେଲେ ଏବଂ ହେଉଛନ୍ତି ମଧ୍ୟ । କେନ୍ଦ୍ର ସରକାର ଏହି ପ୍ରବାସୀ ଶ୍ରମିକମାନଙ୍କ ପାଇଁ ବିପତି ସମୟରେ ଏକ ଟଙ୍କା ଖଚ୍ଚଁ ନ କରିବାକୁ ନେଇ ମାନ୍ୟବର ସୁପ୍ରିମ୍‌କୋର୍ଟ ଓ କେନ୍ଦ୍ର ସୂଚନା କମିଶନ ଚିନ୍ତା ପ୍ରକଟ କରିଛନ୍ତି । ଜନଧନ ଯୋଜନାରେ ଖୋଲା ଯାଇଥିବା କେତେ ଆକାଉଂଟକୁ କେନ୍ଦ୍ର ସରକାର କେତେ ଅର୍ଥ ରାଶି ପ୍ରଦାନ କରିଛନ୍ତି ତାହା ସାର୍ବଜନୀନ ହେବା ଦରକାର । ସରକାରଙ୍କ ଦାବି ମତେ ୫୦୦ ଟଙ୍କାରେ ଗୋଟିଏ ପରିବାର ଦୁଇ ମାସ ଚଳିବା ଆଜିର ଦିନରେ ସମ୍ଭବ କି? ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ନାଁରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଯେଉଁ ଧାରାବାହିକ ଭାବରେ ଋଣ ଦେବାର ବିଭିନ୍ନ ଯୋଜନା ଦେଶବାସୀଙ୍କ ଆଗରେ ବଖାଣିଲେ ତାହା ବାସ୍ତବରେ ୧ଲକ୍ଷ ୮୬ ହଜାର ୬୫୦ କୋଟି ଅଟେ । ଏତଦ୍‌ବ୍ୟତୀତ ୧୧ ଲକ୍ଷ କୋଟି କେବଳ ଋଣର ଯୋଜନା ହୋଇଥିବା ବେଳେ ବଳକା ଅର୍ଥ ପୂର୍ବରୁ ଫେବୃଆରୀ ମାସରେ କେନ୍ଦ୍ର ବଜେଟ୍‌ର ବିଭିନ୍ନ ଯୋଜନାକୁ ପୁନର୍ବାର ଘୋଷଣା ବ୍ୟତୀତ ଅନ୍ୟ କିଛି ନୁହେଁ । ଏହି ମିଛି ଘୋଷଣାର ପରିଣାମ ସ୍ୱରୂପ ଆଜି ଦେଶର ଅର୍ଥନୀତି ସୁଧୁରିବାର ନାଁ ଗନ୍ଧ ଧରୁନାହିଁ । ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ରେ ୧୦୦ ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କର ମୃତ୍ୟୁ ପାଇଁ ମୋଦି ସରକାରଙ୍କୁ ଶ୍ରୀ କାନୁନ୍‌ଗୋ କଡା ସମାଲୋଚନା କରିଛନ୍ତି । ନିଜର ଅପରିଣାମଦର୍ଶୀ ଓ ହୁଣ୍ଡା ନିଷ୍ପତି ପାଇଁ ଦେଶରେ କରୋନା ସଂକ୍ରମଣର ହାର ଲକଡାଉନ୍ ଥିବା ସତ୍ୱେ ପାଖାପାଖି ୨ ଲକ୍ଷରେ ପହଂଚିଲାଣି । ଯଦି ପ୍ରଧାନମନ୍ତ୍ରୀ ଫେବୃୟାରୀ ମାସରୁ ରାହୁଲ ଗାନ୍ଧୀଙ୍କ ସତର୍କ ସୂଚନାକୁ ଆଧାର କରି ସଠିକ୍ ନିଷ୍ପତି ନେଇ ବିଦେଶରୁ ଆମ ଦେଶକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଂଗରୋଧରେ ରଖିବାର ବ୍ୟବସ୍ଥା କରିଥାନ୍ତେ, ତାହା ହେଲେ ଆଜି ଆମ ଦେଶରେ ସଂକ୍ରମଣର ଏ ଭୟାବହତା ଦେଖିବାକୁ ମିଳିନଥାନ୍ତା । ପଡୋଶୀ ରାଷ୍ଟ୍ର ନେପାଳ ସହିତ ଭାରତର ବନ୍ଧୁତା ଦୀର୍ଘ ଦିନର ହୋଇଥିବା ସତ୍ୱେ, ମୋଦି ସରକାରଙ୍କ ବିଫଳ ବୈଦେଶିକ ନୀତି ପାଇଁ ନେପାଳ ଆଜି ଆମ ବିରୁଦ୍ଧରେ ଠିଆ ହେବାର ସାହସ କରୁଛି ।
ଓଡିଶାରୁ କୋଇଲାର ରୟାଲିଟି ବାବଦରେ କେନ୍ଦ୍ର ବର୍ଷକୁ ୮ ହଜାର କୋଟି ଟଙ୍କା ନେଉଥିବା ବେଳେ ପ୍ରତିବଦଳରେ ଓଡିଶାକୁ ସମାନୁପାତିକ ନ୍ୟାଯ୍ୟ ରାଶି ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ କରୁଛି । ୬୦ ବର୍ଷ ବନାମ ୬୦ ମାସର ନାରା ଆଜି ସଂପୂର୍ଣ୍ଣ ଭାବରେ ବିଫଳ ହୋଇଛି ବୋଲି ଶ୍ରୀ କାନୁନ୍‌ଗୋ ମତବ୍ୟକ୍ତି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜ୍ଞାନଦେବ ବେଉରା, ପ୍ରଶାନ୍ତ ଶତପଥି ଓ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles