() ୮୦ ଦଶକରେ ଓଡିଶା କଂଗ୍ରେସ ରାଜନୀତିରେ ଚାଣକ୍ୟ ଥିଲେ ସ୍ବର୍ଗତ ବସନ୍ତ ବିଶ୍ଵାଳ l ସେତେବେଳେ ଶାସନ ବ୍ୟବସ୍ଥାରେ ଗୋଟେ ଚର୍ଚ୍ଚା ହୁଏ ଜାନକୀ ପଟନାୟକ ମୁଖ୍ୟମନ୍ତ୍ରୀ ହେଲେ ଚଳନ୍ତି ମୁଖ୍ୟମନ୍ତ୍ରୀ ଥିଲେ ବସନ୍ତ ବିଶ୍ଵାଳ l ପରବର୍ତ୍ତୀ ସମୟରେ ବସନ୍ତ ବିଶ୍ଵାଳଙ୍କ ଦୁଇ ପୁଅ ଚିରଞ୍ଜୀବ ବିଶ୍ଵାଳ ଓ ରଞ୍ଜୀବ ବିଶ୍ବାଳ କଂଗ୍ରେସ ରାଜନୀତିରେ ବେଶ ସକ୍ରିୟ ରହିଲେ l କଂଗ୍ରେସ ରାଜନୀତିରେ ବାପାଙ୍କ ଲିଗାସିକୁ ଦୁଇ ପୁଅ ରଞ୍ଜୀବ ଓ ଚିରଞ୍ଜୀବ ଆଗକୁ ନେଲେ l ରାଜ୍ୟସଭାକୁ ଗଲେ ରଞ୍ଜୀବ ଓ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ବିଧାୟକ ହେଲେ ଚିରଞ୍ଜୀବ ବିଶ୍ବାଳ l ୨୦୧୯ପରେ କିନ୍ତୁ ଦୁଇ ଭାଇ କଂଗ୍ରେସ ରାଜନୀତିରେ ସେତେଟା ସକ୍ରିୟ ଦେଖିବାକୁ ମିଳିଲାନି l ରଞ୍ଜୀବ ବିଶ୍ବାଳଙ୍କୁ ବର୍ଷ ବର୍ଷ ଧରି ଓଡ଼ିଶା କଂଗ୍ରେସ ରାଜନୀତିରେ ଦେଖିବାକୁ ମିଳୁନଥିଲା l ଚିରଞ୍ଜୀବ ବିଶ୍ବାଳ ଥାଇ ନଥିଲା ପରି ଲାଗୁଥିଲା l ଶେଷରେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ଚିରଞ୍ଜୀବ l ହେଲେ ବିଜେଡିରେ ଚିରଞ୍ଜୀବ ବିଶ୍ବାଳଙ୍କୁ ସେମିତି କିଛି ଗୁରୁତ୍ବ ମିଳିଲାନି l ୨୦୨୪ ନିର୍ବାଚନରେ ଜଗତସିଂହପୁର ବିଧାନସଭାର ଆସନ ପାଇଁ ବିଜେଡି ଟିକେଟ ଆଶାୟୀ ଥିବା ଚିରଞ୍ଜୀବ ବିଶ୍ବାଳଙ୍କୁ ବିଜେଡି ଦଳୀୟ ଟିକେଟ ଦେଲା ନାହିଁ l ଯାହା ତାଙ୍କ ସମର୍ଥକମାନଙ୍କୁ ନିରାଶ କରିଥିଲା l ୨୪ ନିର୍ବାଚନରେ ବିଜେଡି ହାରିଲା l ଏହାପରେ ଚିରଞ୍ଜୀବ ବିଶ୍ବାଳଙ୍କ ସ୍ବପ୍ନ ସ୍ବପ୍ନରେ ରହିଗଲା l ୨୦୨୪ରେ ବିଜେଡି ଯଦି କ୍ଷମତାକୁ ଆସିଥାନ୍ତା ତେବେ ଚିରଞ୍ଜୀବ ବିଶ୍ବାଳ ରାଜ୍ୟସଭା ଯିବାର ସମ୍ଭାବନା ରହିଛି ବୋଲି ସେତେବେଳ ବିଜେଡି ରାଜନୀତିରେ ଚର୍ଚ୍ଚା ହେଉଥିଲା l ହେଲେ ସେ ଚର୍ଚ୍ଚା ବି ଚର୍ଚ୍ଚାରେ ରହିଗଲା l ଶେଷରେ ବିଜେଡି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟାରେ ବି ଚିରଞ୍ଜୀବ ବିଶ୍ଵାଳଙ୍କୁ କୌଣସି ଦାୟିତ୍ୱ ଦିଆଗଲା ନାହିଁ l ଯାହା ତାଙ୍କ ସମର୍ଥକମାନଙ୍କୁ ନିରାଶକୁ ଦୁଇ ଗୁଣିତ କରିଛି l ଠିକ୍ ଏତିକି ସମୟରେ କଂଗ୍ରେସ ଭବନରେ ହଠାତ୍ ରଞ୍ଜୀବ ବିଶ୍ବାଳ ଦେଖାଦେବା ଓ କଂଗ୍ରେସ ରାଜନୀତିରେ ସକ୍ରିୟ ହେବା ରଞ୍ଜୀବ ଓ ଚିରଞ୍ଜୀବଙ୍କ ରାଜନୈତିକ ଭବିଷ୍ୟତ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି l ରଞ୍ଜୀବ ବିଶ୍ବାଳ କଂଗ୍ରେସରେ ସକ୍ରିୟ ହେବା ପରେ ଭାଇ ଚିରଞ୍ଜୀବ ବିଶ୍ଵାଳ କଂଗ୍ରେସକୁ ଫେରିବା ଚର୍ଚ୍ଚା ଆରମ୍ଭ ହୋଇଛି l ଭକ୍ତ ଦାସ ପିସିସି ସଭାପତି ହେବା ପରେ କଂଗ୍ରେସ ଛାଡିଥିବା ଚର୍ଚ୍ଚିତ ନେତାଙ୍କୁ ଦଳକୁ ଫେରାଇ ଆଣିବାକୁ ପ୍ରୟାସ କରିଛନ୍ତି l ତେବେ ରାଜନୀତି ସବୁବେଳେ ସ୍ଥିର ଓ ଚତୁର ଚିରଞ୍ଜୀବ ଚୁପ୍ ଚାପ ବସି ନିଜ ଭବିଷ୍ୟତ ପାଇଁ କି ରଣନୀତି ପ୍ରସ୍ତୁତ କରୁଛନ୍ତି ତାହାକୁ ଜଗତସିଂହପୁର ଜିଲ୍ଲାର ଭୋଟରମାନେ ଚାହିଁ ବସିଛନ୍ତି l