() ଜାତିଗତ ପ୍ରମାଣପତ୍ର କୁ ନେଇ ଗୃହରେ ଉଦବେଗ। ଆଜି ପ୍ରଶ୍ନକାଳରେ ଜାତିଗତ ପ୍ରମାଣପତ୍ର ତାଲିକାରେ ବହୁ ଆଦିମ ଆଦିବାସୀ ବାଦ ପଡ଼ିଥିବା ବେଳେ ଅନେକ ଜନଜାତି ବର୍ଗକୁ ତାଲିକାରେ ସଂପୃକ୍ତି କରାଯାଇନଥିବା ଅଭିଯୋଗ ହୋଇଛି। ମୂଳ ପ୍ରଶ୍ନାକର୍ତ୍ତା ଭାସ୍କର ମଡ଼େଇ ଓ ଅନ୍ୟାନ୍ୟ ସଦସ୍ୟଙ୍କ ଏ ସମ୍ପର୍କୀତ ପ୍ରଶ୍ନର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀଂକ ଅନୁପସ୍ଥିତିରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଗତ ୨୦୧୭ ମସିହା ଠାରୁ ସ୍କୁଲ ସ୍ତରରେ ଛାତ୍ର ଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ଦେବାକୁ ରାଜ୍ୟସରକାର ନିର୍ଦ୍ଦେଶ ଦେଇଚନ୍ତି। ଅନେକ ସ୍ଥାନରେ ଆଦିମ ଆଦିବାସୀ ଓ ଆଦିବାସୀ ବର୍ଗର ଲୋକଙ୍କୁ ତାଲିକାରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି। ୧୬୯ ଜାତି ତାଲିକା କୁ ମଞ୍ଜୁରୀ ପାଇଁ କେନ୍ଦ୍ରକୁ ପଠାଯାଇଥିବା ବେଳେ କେନ୍ଦ୍ର ସରକାର ୧୧ ଟି ବର୍ଗ କୁ ଅନୁସୂଚିତ ଜାତିରେ ଅନ୍ତର୍ଭୁକ୍ତ କରିଥିବା ବେଳେ ୨୦ ବର୍ଗର ପ୍ରସ୍ତାବକୁ କେନ୍ଦ୍ର ସରକାର ନାକଚ କରିଛନ୍ତି।ଏହି ପ୍ରସଙ୍ଗରେ ରାଜ୍ୟସରକାରଙ୍କ ପକ୍ଷରୁ ନିୟମିତ ବ୍ୟବଧାନରେ କେନ୍ଦ୍ରକୁ ଅନୁରୋଧ କରାଯାଉଛି। ତାଲିକାରୁ ବାଦ ପଡ଼ିଥିବା ବର୍ଗଙ୍କୁ ଅନୁସୂଚିତ ଜାତିର ସାମିଲ କରିବାକୁ ୨୦୨୧ ମସିହା ଫେବୃଆରି ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ବର୍ତ୍ତମାନ ସୁଦ୍ଧା ଏହା କେନ୍ଦ୍ର ସରକାରଙ୍କ ନିକଟରେ ଗଡୁଛି। ତେବେ ବର୍ତ୍ତମାନ ନବ ନିର୍ବାଚିତ ରାଷ୍ଟ୍ରପତି ଓଡ଼ିଆ ଓ ଆଦିବାସୀ ବର୍ଗର ହୋଇଥିବାରୁ ଏ ଦିଗରେ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।



