ରାଜ୍ୟସଭା: ଚର୍ଚ୍ଚାରେ ଦେବୀ, ବବି ଓ ନବୀନ
ଓଡ଼ିଶାର 4ଟି ରାଜ୍ୟସଭା ଆସନ ଖାଲି ପଡୁଛି l ଏପ୍ରିଲ 2ତାରିଖ ପୂର୍ବର ପଡିଥିବା ଆସନ ପାଇଁ ନିର୍ବାଚନ ହେବ l ଓଡିଶାର 4ଜଣ ସାଂସଦ ହେଲେ ମମତା ମହନ୍ତ, ନିରଞ୍ଜନ ବିଶି, ସୁଜିତ କୁମାର ଓ ମୁନା ଖାଁ ଙ୍କ କାର୍ଯ୍ୟକାଳ ଶେଷ ହେଉଛି l ଏହି ଆସନରେ ହେବାକୁ ଥିବା ନିର୍ବାଚନରେ ସଂଖ୍ୟା ଦୃଷ୍ଟିରୁ 2ଟି ବିଜେପି ଯିବା ନିଶ୍ଚିତ ଥିବା ବେଳେ ଗୋଟିଏ ବିଜେଡିର l 4ର୍ଥ ଆସନ ପାଇଁ 3ପ୍ରମୁଖ ଦଳ ପାଖରେ ସଂଖ୍ୟା ନାହିଁ l ବିଜେଡିର ନିଶ୍ଚିତ ଗୋଟିଏ ଆସନରୁ କିଏ ଯିବ? ତାହା ଏବେ ସବୁଠୁ ଅଧିକ ଚର୍ଚ୍ଚା l ଦଳର ପାୱାର ଫୁଲ ନେତା ପ୍ରଣବ ପ୍ରକାଶ ଦାସ ଓ ଦେବୀ ମିଶ୍ରଙ୍କ ନାଁ ଚର୍ଚ୍ଚାରେ ଆଗରେ ଅଛି l ଦୁଇ ନେତାଙ୍କ ମଧ୍ୟରୁ କାହାର ଦଳ ପ୍ରତି ଆନୁଗତ୍ୟ ଅଛି ତାହାକୁ ନେଇ ନବୀନ ନିବାସରେ ଆରମ୍ଭ ହୋଇଛି ଅଙ୍କ କଷା l
ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ) ନବୀନଙ୍କ ଅତି ଘନିଷ୍ଠ l 2024 ନିର୍ବାଚନରେ ନବୀନଙ୍କ ନିର୍ଦେଶରେ ନିଜ ନିର୍ବାଚନ ମଣ୍ଡଳୀ ଛାଡି ସମ୍ବଲପୁର ସାଂସଦ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି l ଏହା ସହ ଯାଜପୁରରେ ବିଧାନସଭା ଆସନରେ ଜଣେ ମିଶନ ଶକ୍ତି ମହିଳାଙ୍କୁ ପ୍ରାର୍ଥୀ କରି ବିଧାନସଭାକୁ ପଠାଇବାରେ ବବି ଅବଦାନ କାହା ଅଛପା ନାହିଁ l ଦଳର ସଙ୍କଟ ସମୟରେ ପ୍ରଣବ ସଂକଟମୋଚନ ସାଜି ଦଳକୁ ସବୁ ମ୍ୟାନେଜ କରିଦିଅନ୍ତି l ଜଣେ ଯୁବ ନେତା ଭାବେ ପ୍ରଣବ ନବୀନ ପୁଣି କେମିତି କ୍ଷମତାକୁ ଫେରିବେ ସେଥିପାଇଁ ଦିନରାତି ଏକ କରି କାମ କରୁଛନ୍ତି l ଦିଲ୍ଲୀ ପ୍ରଣବ ଗଲେ ଜାତୀୟ ସ୍ତରର ନେତାଙ୍କ ସହ ସୁସମ୍ପର୍କ ରଖିବା ସହ ଦଳକୁ ପୁଣି କ୍ଷମତାକୁ ଫେରାଇ ଆଣିବାରେ ତାଙ୍କର ରାଜନୈତିକ ଗୋଟି ଚାଳନ ଦଳକୁ ସଫଳତା ଦେବ ଅନେକ ନେତା ଯୁକ୍ତି ବାଢୁଛନ୍ତି l
ଅନ୍ୟପଟେ 2024 ନିର୍ବାଚନ ପରାଜୟ ପରେ ଦଳ ପ୍ରତି ଅଧିକ ଆନୁଗତ୍ୟ ଦେଖାଇ ଦଳର ବରିଷ୍ଠ ନେତା ଦେବୀ ମିଶ୍ର ମଧ୍ୟ ରାଜ୍ୟସଭା ଯିବାକୁ ମନ ବଳାଇଛନ୍ତି l ନବୀନ ନିବାସର ଆଜ୍ଞାଧିନ ନେତା ଭାବେ ଶଙ୍ଖ ଭବନରେ ଦେବୀ ବାବୁ ବର୍ତମାନ ଦଳୀୟ କାମରେ ଲାଗିଛନ୍ତି l ତେଣୁ ସେ ଆଶା ବାନ୍ଧିଛନ୍ତି ଏଥିପାଇଁ ପୁରସ୍କାର ଦେବେ ରାଜ୍ୟସଭା l
ବବି ଓ ଦେବୀ ନାଁ ଚର୍ଚ୍ଚା ଭିତରେ ବିଜେଡି ସଭାପତି ନବୀନ ପଟନାୟକ ନାଁ ମଧ୍ୟ ଏବେ ରାଜ୍ୟସଭା ଯିବା ତାଲିକାରେ ଯୋଡି ହୋଇଯାଇଛି l ବିଜେଡିର ଭବିଷ୍ୟତ ଓ ବଡ ରାଜନୈତିକ ଗୋଟି ଚାଳନ କରି ନବୀନ ନିଜେ ରାଜ୍ୟସଭା ଯିବେ ବୋଲି ବିଜେଡି ରାଜନୀତିରେ ବେଶ ଚର୍ଚ୍ଚା ହେଉଛି l
ଶେଷରେ ଏତିକି କୁହାଯାଇ ପାରେ ନବୀନଙ୍କ ନିଷ୍ପତି ସବୁବେଳେ କାହାକୁ ଜଣା ନଥାଏ, କେବେ ନବୀନ ଘୋଷଣା କଲେ ଜଣା ପଡିବ ନବୀନ କାହାକୁ ରାଜ୍ୟସଭା ପଠାଉଛନ୍ତି l ଏବେ କେବଳ ଚର୍ଚ୍ଚା ଓ ଆଲୋଚନା ଭିତରେ ରାଜ୍ୟସଭା ଓ ବିଜେଡି ନେତାଙ୍କ ନାଁ ଯୋଡି ହୋଇଚାଲିଛି l
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy