ଦିଲ୍ଲୀରେ ମନ ମିଶିଲା, ମହାମିଳନରେ ମାନଭଞ୍ଜନ 

0
97

ଦିଲ୍ଲୀରେ ମିଶିଲା ଡବଲ ଇଞ୍ଜିନ । ଏକାଠି ହେଲେ ଓଡ଼ିଶା ବିଜେପି ମାଙ୍ଗୁଆଳମାନେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନଏକ ହୋଇଥିବା ଚର୍ଚ୍ଚା ହେଉଛି। ୧୩ମାସ ଧରି ଓଡିଶା ରାଜନୀତିରେ ବିଜେପି ଦଳକୁ ନେଇ ହେଉଥିବା ସବୁ ଚର୍ଚ୍ଚାର ପୁର୍ଣ୍ଣଛେଦ ପକାଇଲେ ଦଳର ଶୀର୍ଷ ନେତୃତ୍ଵ। ଏକ ହୋଇ କାମ କରିବାକୁ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ଦିଲ୍ଲୀର ଶୀର୍ଷ ନେତୃତ୍ଵଗଣ। ଓଡ଼ିଶାର ଚେହେରା ସାଜିଥିବା ନେତାଙ୍କୁ ଏକାଠି କରି ବୈଠକ କଲେ । ଭେଟଘାଟ ବି ହେଲା, ଆଲୋଚନା ବି ହେଲା, ରାଜ୍ୟ ସ୍ବାର୍ଥ କଥା ବି ଉଠିଲା ଓ ଗୋଷ୍ଠୀ ନୁହେଁ ଦଳ ପାଇଁ ସଭିଏ ଏକ ଏ ବାର୍ତ୍ତା ବି ଦେଲା ରାଜ୍ୟ ବିଜେପି। ବେଶ କିଛି ମାସ ହେବ ଓଡ଼ିଶାରୁ ଦିଲ୍ଲୀ ଯାଏ ଗୋଟିଏ ରାଜନୈତିକ ଚର୍ଚ୍ଚା, ବିଜେପି ସରକାର ଗଠନ କଲା ପରେ ଦଳ ଭିତରେ ପାୱାର ଲଢେଇ ଜୋରଦାର ହୋଇଛି।

ରାଜ୍ୟ ସଭାପତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଚାଲିଛି ପତିଆର ଲଢେଇ। ଆଉ ଏହାକୁ ଖୋରାକ ଯୋଗାଇଥିଲା ଦିଲ୍ଲୀରେ ବିଜେପି ନେତାଙ୍କ ଭିନ୍ନ ଭିନ୍ନ ବୈଠକ ଓ କିଛି ଫୋଟୋ। ସୋସିଆଲ୍ ମିଡିଆରୁ ରାଜନୈତିକ ସମୀକ୍ଷକ ଯାଏ ସଭିଙ୍କ ଗୋଟିଏ ଆକଳନ ଲଢେଇ ଚାଲିଛି, କିଏ ଅଧିକ ଶକ୍ତିଶାଳୀ ଦେଖାଇବାର ପ୍ରତିଯୋଗିତା ଦଳ ଭିତରେ । ସଭାପତିଙ୍କ ଦିଲ୍ଲୀ ବୈଠକରେ ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଅନୁପସ୍ଥିତ ରହିବା ଓ ପରେ କେନ୍ଦ୍ରମନ୍ତ୍ରୀଙ୍କ ବୈଠକରେ ୩ଜଣ ସାଂସଦ ଆସିଲେନି। ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲା ଯେ ବିଜେପିରେ ସବୁକିଛି ଠିକ ଠାକ୍ ଚାଲିନାହିଁ।।

ଏହି ଚର୍ଚ୍ଚା ଭିତରେ ଏଣ୍ଟ୍ରି କଲା ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ ଚର୍ଚ୍ଚା। ପୁଣି ଚର୍ଚ୍ଚା ହେଲା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ କାଳେ ଦଳ ଭିତରେ ପୁଣି ପତିଆର ଲଢେଇ ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରି ଅତି ଘନିଷ୍ଠ ମନ୍ତ୍ରିଙ୍କ ବିଭାଗ ଅଦଳବଦଳ କରିବା ଓ କିଛି ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିବା ଚର୍ଚ୍ଚା ବି ହେଲା। ଆଉ ବେଶୀ ଦିନ ଯାଏ ଯେପରି ଏ ଚର୍ଚ୍ଚା ନହେବ ଓ ସବୁ କଳ୍ପନାକଳ୍ପନାର ଅନ୍ତ ଘଟାଇ ଦିଲ୍ଲୀରେ ରାଜ୍ୟ ବିଜେପିର ମଙ୍ଗୁଆଳ ମାନଙ୍କୁ ଏକାଠି କରି ଦଳର ଶୀର୍ଷ ନେତୃତ୍ଵ ଏକତାର ବନ୍ଧନରେ ବାନ୍ଧିଛନ୍ତି । ଦଳ ଓ ସଂଗଠନକୁ ଏକାସାଙ୍ଗରେ ଚଳାଇବା ପାଇଁ ନେତାଙ୍କୁ ଗୁରୁମନ୍ତ୍ର ଦେବା ସହ ତୃଣମୂଳ ସ୍ତରରେ ବିଜେପି ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଶୀର୍ଷ ନେତୃତ୍ଵ।