ନିର୍ବାଚନରେ ସ୍ୱଚ୍ଛତା ପ୍ରତିପାଦନ କରିବାରେ ନିର୍ବାଚନ କମିସନ ବିଫଳ: ବିଜେଡି
୮ ମାସ ତଳେ ବିଜୁ ଜନତା ଦଳ ତରଫରୁ ଗତ ନିର୍ବାଚନରେ ପରିଲକ୍ଷିତ ଭୋଟ ଅସଙ୍ଗତିକୁ ନେଇ ନିର୍ବାଚନ କମିସନରଙ୍କ ନିକଟରେ ତଥ୍ୟ ପ୍ରଦାନ କରାଯାଇ ଉତ୍ତର ମଗାଯାଇଥିଲା, ଯାହାର ସନ୍ତୋଷଜନକ ଉତ୍ତର ଏପର୍ଯ୍ୟନ୍ତ ମିଳିନାହିଁ । ତେଣୁ, ବିଜୁ ଜନତା ଦଳ ଏହି ମାମଲାକୁ ନେଇ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି ଆଜି ସୂଚନା ଦେଇଛି ।
ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ଦଳର ମୁଖପାତ୍ର ଶ୍ରୀ ଅମର ପଟ୍ଟନାୟକ, ପୂର୍ବତନ ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ ଓ ବିଧାୟକ ଶ୍ରୀ ଧ୍ରୁବ ଚରଣ ସାହୁ ଏହି ସୂଚନା ଦେଇଛନ୍ତି ।
ଶ୍ରୀ ଅମର ପଟ୍ଟନାୟକ କହିଥିଲେ, ଗତ ନିର୍ବାଚନରେ ଭୋଟ ଶେଷ ହେବା ପରେ ନିର୍ବାଚନ କମିସନରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟକୁ ଅନୁଶୀଳନ କରିବା ପରେ ଅନେକ ତାରତମ୍ୟ ପରିଲକ୍ଷିତ ହୋଇଥିଲା । ଗୋଟିଏ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ହିସାବରେ, ବିଜେଡି ତରଫରୁ ନିର୍ବାଚନ କମିସନରଙ୍କୁ ଏହି ତାରତମ୍ୟ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ଏହି ତାରତମ୍ୟ ମୁଖ୍ୟତଃ ତିନୋଟି ବିନ୍ଦୁରେ କେନ୍ଦ୍ରିତ ଥିଲା । ପ୍ରଥମଟି ଥିଲା, ରାଜ୍ୟର ସମସ୍ତ ସଂସଦ କ୍ଷେତ୍ରରେ, ଇଭିଏମରେ ପଡ଼ିଥିବା ଭୋଟ ସଂଖ୍ୟା ଅପେକ୍ଷା ଗଣତି ହୋଇଥିବା ଭୋଟ ସଂଖ୍ୟା ଅଧିକ ଥିଲା । ଦ୍ୱିତୀୟଟି ହେଲା ସଂସଦ କ୍ଷେତ୍ରର ଭୋଟ ସଂଖ୍ୟା ଅପେକ୍ଷା ଏହା ମଧ୍ୟରେ ଆସୁଥିବା ବିଧାନସଭାର ସମୁଦାୟ ଭୋଟ ସଂଖ୍ୟା ମଧ୍ୟରେ ଉଲ୍ଲେଖନୀୟ ତାରତମ୍ୟ ରହିଥିଲା । ତୃତୀୟଟି ହେଲା, ନିର୍ବାଚନ ସମୟ ଶେଷ ହୋଇଯିବା ପରେ ଭୋଟ ପଡିବା ସଂଖ୍ୟା ପ୍ରାୟ ୭ ପ୍ରତିଶତରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ରହିଥିଲା । ପଚାଶ ପ୍ରତିଶତ ବିଧାନସଭା ଆସନରେ ଏହି ତାରତମ୍ୟ ୧୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ରହିଥିଲା ।
ଶ୍ରୀ ପଟ୍ଟନାୟକ କହିଥିଲେ, ୨୦୨୪ ମସିହା ଡିସେମ୍ୱର ୧୯ ତାରିଖରେ ବିଜେଡି ତରଫରୁ ଏହି ସମ୍ୱନ୍ଧରେ ଅଭିଯୋଗ ଦାଖଲ କରାଯାଇ, ଏହାର ଉତ୍ତର ରଖିବାକୁ ଅନୁରୋଧ କରାଯାଇଥିଲା । ଏହାଛଡା, ନିର୍ବାଚନ ପ୍ରକ୍ରିୟାକୁ ଅଧିକ ପାରଦର୍ଶିତା କରିବା ପାଇଁ, ଭୋଟର ଲିଷ୍ଟ ପ୍ରସ୍ତୁତିରୁ ଆରମ୍ଭ କରି ଭୋଟ ଗଣତି ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ଅଡିଟ୍ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଥିଲା । ନିର୍ବାଚନ ପ୍ରକ୍ରିୟାର ଏପରି ଅଡିଟ୍ ବ୍ୟବସ୍ଥା ସମସ୍ତ ବିକଶିତ ରାଷ୍ଟ୍ର ମାନଙ୍କରେ ରହିଛି । ସେହିପରି ଭିଭିପ୍ୟାଡ଼ ବ୍ୟବସ୍ଥାରେ, କେବଳ ୫%ରେ ସୀମିତ ନରଖି, ସମସ୍ତ ଭୋଟ ପାଇଁ ଲାଗୁ କରାଯାଉ ବୋଲି ଅନୁରୋଧ କରାଯାଇଥିଲା । ନିୟମ ଅନୁଯାୟୀ ନିର୍ବାଚନ ପରେ, ଫର୍ମ ୧୭ ସି ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଦାନ କରାଯିବା କଥା, କିନ୍ତୁ, ନିର୍ବାଚନ କମିସନ ତାହା ଦେଉନାହାନ୍ତି । ନିର୍ବାଚନ କମିସନ ଆମର ବିଭିନ୍ନ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି । ଭୋଟ ତାରତମ୍ୟ ସମ୍ପର୍କରେ ନିର୍ବାଚନ କମିସନଙ୍କ ତରଫରୁ କୁହାଯାଇଥିଲା, ଯେଉଁ ଇଭିଏମରେ ତ୍ରୁଟି ଥିଲା ସେହି ବାକ୍ସକୁ ଗଣତି ପାଇଁ ବିଚାର କରାଯାଇ ନଥିଲା । କିଛି ଇଭିଏମ୍ରେ ମକ୍ ପୋଲ ସମୟରେ ପଡ଼ିଥିବା ଭୋଟ ଗୁଡିକୁ ବାଦ୍ ଦିଆଯାଇ ନଥିବା କାରଣରୁ ଭୋଟ ଅଧିକ ହୋଇଥିଲା । କିନ୍ତୁ, ଏହାକୁ ବାଦ୍ ନଦେଇ ଭୋଟ ସଂଗ୍ରହ କରିବା ଏକ ଅପରାଧ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଯେହେତୁ, କିଛି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଫଳାଫଳକୁ ନେଇ ଉଚ୍ଚନ୍ୟାୟାଳୟରେ କେସ୍ ଦାଖଲ ହୋଇଛି, ସେଥିପାଇଁ ଫର୍ମ ୧୭ ସି ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ନିର୍ବାଚନ କମିସନଙ୍କ ଉତ୍ତର ସନ୍ତୋଷଜନକ ନୁହେଁ । କାରଣ, ଓଡିଶାରେ ମାତ୍ର ୨୮ଟି ନିର୍ବାଚନ ମଣ୍ଡଳୀରେ କେସ୍ ହୋଇଛି । ଏହାକୁ ଛାଡି ଅନ୍ୟ ନିର୍ବାଚନ ମଣ୍ଡଳୀ ଗୁଡିକର ଫର୍ମ ୧୭ ସି ପ୍ରଦାନ କରିବା କଥା, କିନ୍ତୁ ନିର୍ବାଚନ କମିସନ ସେଗୁଡିକ ମଧ୍ୟ ପ୍ରଦାନ କରୁନାହାନ୍ତି ।
ଶ୍ରୀ ପଟ୍ଟନାୟକ କହିଥିଲେ, ନିକଟରେ ରାହୁଲ ଗାନ୍ଧୀ ନିର୍ବାଚନରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇବା ପରେ ରାଜ୍ୟରେ କଂଗ୍ରେସ ମଧ୍ୟ ପ୍ରଶ୍ନ କରିଛି । କିନ୍ତୁ, ଏହାର ବହୁ ପୂର୍ବରୁ ବିଜୁ ଜନତା ଦଳ ଏହି ପ୍ରସଙ୍ଗ ଉଠାଇଥିଲା । ବିଜେଡି ଦ୍ୱାରା ପୂର୍ବରୁ ଦାବି କରାଯାଇଥିବା ଅଡିଟ୍ ବ୍ୟବସ୍ଥାକୁ ମଧ୍ୟ ରାହୁଲ ଗାନ୍ଧୀ ଦୋହରେଇଛନ୍ତି । ନିର୍ବାଚନ ଫଳାଫଳକୁ ନେଇ ରାଜ୍ୟବାସୀଙ୍କ ମନରେ ନିର୍ବାଚନର ସ୍ୱଚ୍ଛତାକୁ ସୃଷ୍ଟି ହୋଇଥିବା ସନେ୍ଦହକୁ ଦୂର କରିବାରେ ନିର୍ବାଚନ କମିସନ ସକ୍ଷମ ହୋଇପାରି ନାହାନ୍ତି, ଯେଉଁଥିପାଇଁ ବିଜୁ ଜନତା ଦଳ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ଶ୍ରୀମତୀ ଶର୍ମିଷ୍ଠା ସେଠି କହିଥିଲେ, ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ପରଦିନ ମୁଁ ନିର୍ବାଚନ କମିସନଙ୍କୁ ଯାଜପୁର ସଂସଦ କ୍ଷେତ୍ରର ଫର୍ମ ୧୭ ସି ପାଇଁ ଆବେଦନ କରିଥିଲି । ଏହା ମୋତେ ପ୍ରଦାନ କରା ନ ଯିବାରୁ, ମୁଁ ଭାରତର ନିର୍ବାଚନ କମିସନଙ୍କୁ ଚିଠି ଲେଖିଥିଲି, କିନ୍ତୁ, ମୋତେ ସନ୍ତୋଷଜନକ ଉତ୍ତର ମିଳି ନଥିଲା । ଯାହା ଫଳରେ, ମୁଁ ବାଧ୍ୟହୋଇ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲି । ଏବେ ତାହା ବିଚାରାଧୀନ ରହିଛି ।
- Advertisement -
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy