ଭୁବନେଶ୍ୱର : କୋଭିଡ଼-୧୯ କବଳରେ ଭାରତ ବର୍ଷ । ସରକାରଙ୍କ ଅପରିଣାମ ଦର୍ଶୀ ନୀତି କାରଣରୁ ଆଜି ଦେଶର ସାଧାରଣ ମଣିଷ ନାହିଁ ନଥିବା ଦୁ୍ର୍ଦ୍ଦଶାର ସମ୍ମୁଖିନ ହେଉଛି । କୌଣସି ପ୍ରାକ୍ ପ୍ରସ୍ତୁତି ବିନା ତରବରିଆ ଭାବେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଡ଼ାଉନ / ସଟ୍ଡାଉନ ଘୋଷଣା ଦେଶର ଶ୍ରମଜୀବି ଜନତାଙ୍କ ଜୀବନ ଜୀବିକା ଛଡ଼ାଇ ନେଉଛି । ଲକ୍ଷ ଲକ୍ଷ ଶ୍ରମିକ ରାଜ ରାସ୍ତାରେ । ସେମାନଙ୍କ ଦୁର୍ଦ୍ଦଶା ଅବର୍ଣ୍ଣର୍ନୀୟ । ସରକାରଙ୍କ ଭୁଲ ନୀତି କାରଣରୁ ଶତାଧିକ ଶ୍ରମିକ ମୃତ୍ୟୁବରଣ କରିଥିବାବେଳେ, ଚାକିରି ହରାଇ, ମଜୁରୀ ନପାଇଁ ଆତ୍ମହତ୍ୟା କରିବା ପାଇଁ ସରକାର ଏକ ପ୍ରକାର ବାଧ୍ୟ କରୁଛନ୍ତି । ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଖର୍ଚ୍ଚରେ ସେମାନଙ୍କ ଭିଟାମାଟିରେ ପହଂଚାଇବା ଦାୟିତ୍ୱ କେନ୍ଦ୍ର ଓ ରାଜ୍ୟ ସରକାର ଭୁଲିଗଲେ । ଏପରିକି ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଏହା ପୂର୍ଣ୍ଣ ମାତ୍ରାରେ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ସମସ୍ତଙ୍କୁ ଅତି କମ୍ରେ ୬ମାସ ପାଇଁ ବ୍ୟକ୍ତି ପିଛା ୧୦ କେଜି ଖାଦ୍ୟଶସ୍ୟ, ପ୍ରତ୍ୟେକ ଆୟକର ପ୍ରଦାନ କରୁନଥିବା ପରିବାରକୁ ୬ ମାସ ପାଇଁ ମାସିକ ୭୫୦୦/- ଟଙ୍କାର ସହାୟତା ଯୋଗାଇ ଦେବାକୁ ଆମର ଦାବି ସରକାର କର୍ଣ୍ଣପାତ କରୁନାହାନ୍ତି । ଦେଶର ୨୪ କୋଟିରୁ ଉର୍ଦ୍ଧ୍ୱ ଲୋକ ନିଜର ଜୀବିକା ହରାଇ ସାରିଲେଣି । ବେକାରି ସଂଖ୍ୟା ଆକାଶ ଛୁଆଁ ହୋଇ ୨୭ ପ୍ରତିଶତରେ ପହଂଚିଲାଣି । ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇ.ଏଲ.ଓ)ର ରିପୋର୍ଟ ଅନୁଯାୟୀ ୪୦ କୋଟିରୁ ଉର୍ଦ୍ଧ୍ୱ ଲୋକ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ । ବିଶେଷଜ୍ଞଙ୍କ ମତରେ, ଗରିବ, ପୃଷ୍ଟିହୀନତା ଓ ଅନାହାର କାରଣରୁ ମୃତ୍ୟୁ, ସାଧାରଣ ଘଟଣାରେ ପରିଣତ ହେବାକୁ ଯାଉଛି । ଅଣୁ, ଲଘୁ ଓ ମଧ୍ୟମ ଉଦ୍ୟୋଗ ୩୦ ରୁ ୩୫ ପ୍ରତିଶତ ପୁନରୁଦ୍ଧାର ହେବା ଅବସ୍ଥାରେ ନାହିଁ । ଏଭଳି ଅବସ୍ଥାରେ ସରକାର ନୂଆ ନିଯୁକ୍ତି ସୃଷ୍ଟି ପାଇଁ ପଦକ୍ଷେପ ନେବା ବଦଳରେ କର୍ପୋରେଟ୍ ସ୍ୱାର୍ଥରେ ଶ୍ରମିକମାନଙ୍କ ବିରୋଧରେ ଶ୍ରମ ଆଇନ ସଂଶୋଧନ କରୁଛନ୍ତି । ୧୯୫୫ ମସିହାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ସଂଶୋଧନ କରି କୃଷକ ଓ ସାଧାରଣ ଖାଉଟି ବିରୋଧି ନୀତିକୁ ତୀବ୍ରତର କରିଛନ୍ତି । ବହୁ ଆଡ଼ମ୍ବରରେ ଲଘୁକ୍ରିୟା ପରି ତଥାକଥିତ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଗରିବ ମଣିଷ ପ୍ରତି କ୍ରୁର ଉପହାସ । ଏହି ପ୍ୟାକେଜରେ ସାଧାରଣ ଲୋକ, ଚାଷୀ ଓ ଶ୍ରମିକମାନଙ୍କ ପାଇଁ ବାସ୍ତବ କ୍ଷେତ୍ରରେ ଜି.ଡ଼ି.ପି.ର ୧ ପ୍ରତିଶତରୁ ମଧ୍ୟ କମ୍ (୦.୯୧%) ଅର୍ଥର ବ୍ୟୟ ବ୍ୟବସ୍ଥା ରହିଛି । ଏହି ପ୍ୟାକେଜ୍ ମୁଖ୍ୟତଃ ମହାଜନୀ ଋଣ ବ୍ୟବସ୍ଥା ବ୍ୟତୀତ ଆଉ କିଛି ନୁହେଁ । ପୂର୍ବଘୋଷିତ ପି.ଏମ. କିଷାନ୍ ସମ୍ମାନ ନିଧି ଓ ନିର୍ମାଶ ଶ୍ରମିକ କଲ୍ୟାଣ ବୋର୍ଡ଼, ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କାକୁ ଏଥିରେ ସାମିଲ କରାଯାଇ ସାଧାରଣ ମଣିଷ ମନରେ ଭ୍ରମ ସୃଷ୍ଟି କରାଯାଉଛି ।
‘ଆତ୍ମ ନିର୍ଭର ଭାରତ’ର ସ୍ଲୋଗାନ ଦେଇ କୋଭିଡ଼-୧୯ ଲକ୍ଡାଉନ୍ ଆଢ଼ୁଆଳରେ ପ୍ରତିରକ୍ଷା, କୋଇଲା, ରେଲୱେ, ଆଣବିକ ଶକ୍ତି, ବ୍ୟାଙ୍କ, ବୀମା ଠାରୁ ଆରମ୍ଭ କରି କୃଷିକ୍ଷେତ୍ର ଓ ଖୁଚୁରା ବ୍ୟବସାୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସରକାରୀ ଅଂଶଧନକୁ ମାଟିଗୋଡ଼ି ମୂଲ୍ୟରେ ବିକ୍ରିକରି ଶତ ପ୍ରତିଶତ ବିଦେଶ ପୁଞ୍ଜିକୁ ଆମନ୍ତ୍ରଣ କରି ଏହାକୁ କର୍ପୋରେଟ୍ ହାତରେ ଟେକିଦେବା ପାଇଁ ଷଡ଼ଯନ୍ତ୍ର ରଚନା କରାଯାଇଛି । କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ପ୍ରତିବାଦ ସତ୍ୱେ ୪୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୮ ଲକ୍ଷ ପେନସନଧାରୀଙ୍କ ମହଙ୍ଗା ଭତା ସରକାର ବନ୍ଦ କରିଛନ୍ତି ।
କୋଭିଡ଼୍-୧୯ ଭଳି ଏକ ମହାମାରୀ ଆକ୍ରମଣରେ ଦେଶର ଶ୍ରମଜୀବି ଜନଗଣ ଓ ଜନସାଧାରଣଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିଲାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ୍ ଲିଟର ଉପରେ ଏହି ଗୋଟିଏ ମାସ ମଧ୍ୟରେ ୯ ଟଙ୍କାରୁ ଉର୍ଦ୍ଧ୍ୱ ଟିକସ ବୃଦ୍ଧି କରୁଛନ୍ତି । ରନ୍ଧନଗ୍ୟାସ ମୂଲ୍ୟ ବି ବଢ଼ିଛି । ଫଳରେ ସମସ୍ତ ଅତ୍ୟାବଶ୍ୟକୀୟ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ଅତ୍ୟଧିକ ବୃଦ୍ଧି ପାଇଛି । ଜନଗଣଙ୍କ ଦୁର୍ଦ୍ଦଶା ବଢ଼ୁଛି ।
ଓଡ଼ିଶା ସରକାର ମଧ୍ୟ କେନ୍ଦ୍ର ବିଜେପି ସରକାରଙ୍କ ପଦାଙ୍କ ଅନୁସରଣ କରି ୧୭ ହଜାର କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି । ଏହା ଜନଗଣଙ୍କ ପାଇଁ ଆଉ ଏକ ଧୂଆଁ ବାଣ । ରାଜ୍ୟର ୨୦୨୦-୨୧ ବାର୍ଷିକ ବଜେଟରେ ୧୬୮୮୦ କୋଟି ଟଙ୍କାର ନିଅଂଟ ଥିଲାବେଳେ ଏହି ଟଙ୍କା କେଉଁଠୁ ଆସିବ ତା’ର ନାମ ଗନ୍ଧ ନାହିଁ । ରାଜ୍ୟ ସରକାର କର୍ପୋରେଟ୍ ସ୍ୱାର୍ଥରେ ଶ୍ରମ ଆଇନ୍ ସଂଶୋଧନ କରୁଛନ୍ତି । କାରଖାନା ଆଇନ ୧୯୪୮କୁ ପରିବର୍ତନ କରି ଦୈନିକ ଶ୍ରମ ନିର୍ଘଂଟକୁ ୮ ଘଂଟାରୁ ୧୨ ଘଂଟାକୁ ବୃଦ୍ଧି, ଶିଳ୍ପ ବିବାଦ ଆଇନ ୧୯୪୭ କୁ ପରିବର୍ତନ କରି ୩୦୦ ଶ୍ରମିକ ପର୍ଯ୍ୟନ୍ତ କାର୍ଯ୍ୟକରୁଥିବା କାରଖାନାରେ ତାଲାବନ୍ଦ ଓ ଶ୍ରମିକ ଛଟେଇ ପାଇଁ ମାଲିକଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ଏହି କାରଖାନାଗୁଡ଼ିକରେ ଶ୍ରମ ଆଇନଗୁଡ଼ିକ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହା ଆଉ ଶ୍ରମ ବିଭାଗ ତଦାରଖ କରିପାରିବ ନାହିଁ । ଫଳରେ ଶ୍ରମିକ ଶୋଷଣର ସୀମା ରହିବ ନାହିଁ । ଶ୍ରମିକର ଅର୍ଜିତ ଛୁଟିକୁ ୨୪୦ ଦିନରୁ ୧୮୦ଦିନକୁ କମାଇ ଦେବାକୁ ନିଷ୍ପତି ହୋଇଛି । ଆମର ଦାବୀ ସତ୍ୱେ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ (ପଞ୍ଜିକୃତ ଓ ଅଣପଞ୍ଜିକୃତ) ସରକାରୀ ସହାୟତା ମିଳିପାରିଲା ନାହିଁ । ପରିବହନ, ବିଡ଼ି, ଘରୋଇ ଓ ଅନ୍ୟାନ୍ୟ ଅସଂଗଠିତ ଶ୍ରମିକମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ସରକାର କୌଣସି ସହାୟତା ଘୋଷଣା କରୁନାହାନ୍ତି । ଓଡ଼ିଶାରେ ପ୍ରାୟ ୪୫ ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରମିକ ନିଜର ଜୀବିକା ହରାଇଥିବାବେଳେ ୨୦ ଲକ୍ଷ ପ୍ରବାସୀ ଶ୍ରମିକ ଘର ମୁହାଁ । ଏହି ଶ୍ରମିକମାନଙ୍କୁ ଜୀବିକା ଯୋଗାଇବା ବଦଳରେ ଦୈନିକ ଶ୍ରମ ନିର୍ଘଂଟର ପରିବର୍ତନ, ଠିକା ଚାଷ ପାଇଁ ନିଷ୍ପତି, ରାଜ୍ୟରେ ବ୍ୟାପକ ଶ୍ରମିକ ଛଟେଇକୁ ପ୍ରୋତ୍ସାହିତ କରିବା ସହ ବେକାରୀ ସମସ୍ୟା ଉତ୍କଟ ଆକାର ଧାରଣ କରିବ । କୋଭିଡ଼-୧୯ ଯୋଦ୍ଧାଭାବେ କାର୍ଯ୍ୟରତ ଅଙ୍ଗନୱାଡ଼ି, ଆଶା, ମଧ୍ୟାହ୍ନ ଭୋଜନ ପାଚିକା, ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ପାଇଁ ସରକାର କୌଣସି ପ୍ରୋତ୍ସାହନ ଘୋଷଣା କରିନାହାନ୍ତି । ଏହି ଘଡ଼ିସନ୍ଧି ମୂହୁର୍ତରେ ସରକାର ନିଜର ଦାୟିତ୍ୱ ପାଳନ କରି ଶ୍ରମ ଆଇନ ସଂଶୋଧନ ଓ ଶ୍ରମ କୋର୍ଡ. ଲାଗୁକରିବା ନିଷ୍ପତିକୁ ବାତିଲ କରିବା, କୋଭିଡ଼ ସମୟରେ କାର୍ଯ୍ୟ ହରାଇଥିବା ସମସ୍ତ ଶ୍ରମିକଙ୍କୁ ମଜୁରୀ ସହ ପୁନଃ ନିଯୁକ୍ତି, ଓଡ଼ିଶାରେ ବନ୍ଦ ରହିଥିବା କଳକାରଖାନାର ପୁନରୁଦ୍ଧାର, ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଘରେ ପହଂଚାଇବା ସହ ରୋଜଗାରର ସାଧନ ଯୋଗାଇଦେବା, ମୃତ୍ୟୁବରଣ କରୁଥିବା ପ୍ରବାସୀ ଶ୍ରମିକ ଓ କୋଭିଡ଼ ଯୋଦ୍ଧାଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ, ଭାରତୀୟ ଶ୍ରମ ସମ୍ମିଳନୀର ଆୟୋଜନ ପ୍ରଭୃତି ଦାବୀକୁ ନେଇ ଆସନ୍ତା ଜୁଲାଇ ୩ ତାରିଖ ଦିନ ଦେଶ ବ୍ୟାପୀ ଆନ୍ଦୋଳନ ଗଢ଼ି ତୋଳିବାକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡ଼େରେସନମାନେ ଆହ୍ୱାନ ଦେଇଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଏହି ଶ୍ରମିକ, କୃଷକ, ଜନବିରୋଧି ଓ ଦେଶ ବିରୋଧି ନୀତି ବିରୋଧରେ ଶ୍ରମିକ ଶ୍ରେଣୀ ସଂଗଠିତ ଭାବରେ ବିକ୍ଷୋଭ, ଧାରଣା ଆଦି ଜରିଆରେ ପ୍ରତିବାଦ ଜଣାଇବାକୁ ନିବେଦନ । ଏହି ପ୍ରତିବାଦ ଦିବସ ପାଳନ ମଧ୍ୟଦେଇ ଆଗାମୀ ଦିନରେ ଅସହଯୋଗ ଏବଂ ସରକାରଙ୍କ ଜନବିରୋଧି, ଶ୍ରମିକ, କୃଷକ ସ୍ୱାର୍ଥ ବିରୋଧି ନୀତି ନିଷ୍ପତି ଗୁଡ଼ିକ ବିରୋଧରେ ସଂଗ୍ରାମ ପାଇଁ ପ୍ରସ୍ତୁତ ହେବାକୁ ଅନୁରୋଧ ।
୩ ଜୁଲାଇ ଦେଶବ୍ୟାପି ପ୍ରତିବାଦ…
- Advertisement -