ଶାକ୍ତ ପରମ୍ପରାର ଅନନ୍ୟ ମହାପର୍ବ : ମା’ ବିରଜାଙ୍କ ରଥଯାତ୍ରା

- Advertisement -

ଭାରତୀୟ ଧର୍ମଦର୍ଶନରେ ଶକ୍ତି ହେଉଛନ୍ତି ସୃଷ୍ଟି, ସ୍ଥିତି ଓ ସଂହାରର ଆଦ୍ୟ ଆଧାର। ସେହି ମହାଶକ୍ତିଙ୍କ ଉପାସନା ପରମ୍ପରାରେ ଓଡ଼ିଶାର ସର୍ବପୁରାତନ ରାଜଧାନୀ ପ୍ରାଚୀନ ଯାଜପୁର ନଗରୀ ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ପରିଚୟ ବହନ କରେ। ପବିତ୍ର ବୈତରଣୀ ନଦୀତଟରେ ଅବସ୍ଥିତ ବିରଜାକ୍ଷେତ୍ର କେବଳ ଏକ ଦେବୀପୀଠ ନୁହେଁ, ବରଂ ଶାକ୍ତ, ଶୈବ, ବୈଷ୍ଣବ ଓ ପିତୃତୀର୍ଥ ପରମ୍ପରାର ଏକ ମହାମିଳନସ୍ଥଳୀ।

ଏହି ପବିତ୍ର କ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି କୃପମୟୀ ଯଜ୍ଞସମ୍ଭୂତା ମା’ ବିରଜା। ଭାରତର ଶକ୍ତି ଉପାସନା ପରମ୍ପରାରେ ମା’ ବିରଜାଙ୍କ ନଅଦିନ ବ୍ୟାପୀ ବିଜୟା ରଥଯାତ୍ରା ଏକ ବିରଳ ଧାର୍ମିକ ଉତ୍ସବ। ଏଠାରେ ଦେବୀଙ୍କ ଚଳନ୍ତି ପ୍ରତିମା ସିଂହଧ୍ଵଜରେ ରଥାରୂଢ଼ ହୋଇ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ଯାହା ବିରଜାକ୍ଷେତ୍ରର ଅନ୍ୟତମ ସ୍ୱତନ୍ତ୍ରତା ବହନ କରେ ।

ପୁରାଣ ଓ ଶାସ୍ତ୍ରରେ ବିରଜାକ୍ଷେତ୍ରର ମହିମା

ବିରଜାକ୍ଷେତ୍ରର ମାହାତ୍ମ୍ୟ ସମ୍ପର୍କରେ ସ୍କନ୍ଦପୁରାଣ, ବ୍ରହ୍ମାଣ୍ଡପୁରାଣ ଓ ଅନ୍ୟାନ୍ୟ ଧର୍ମ ଗ୍ରନ୍ଥମାନଙ୍କରେ ଉଲ୍ଲେଖ ମିଳେ। ପୌରାଣିକ ବିଶ୍ୱାସ ଅନୁସାରେ, ଦକ୍ଷଯଜ୍ଞ ପରେ ଭଗବାନ ଶିବ ସତୀଙ୍କ ଦେହ ଧାରଣ କରି ବିଚରଣ କରୁଥିବା ସମୟରେ ଭଗବାନ ବିଷ୍ଣୁଙ୍କ ସୁଦର୍ଶନ ଚକ୍ରଦ୍ୱାରା ସତୀଙ୍କ ଶରୀର ବିଭିନ୍ନ ଅଂଶରେ ବିଭକ୍ତ ହୋଇଥିଲା। ପୌରାଣିକ ମତ ଅନୁସାରେ ସତୀଙ୍କ ନାଭିଦେଶ ଏହି ପବିତ୍ର ଭୂମିରେ ପତିତ ହୋଇଥିଲା। ସେଥିପାଇଁ ବିରଜାକ୍ଷେତ୍ରକୁ ନାଭିକ୍ଷେତ୍ର ଭାବେ ମଧ୍ୟ ଅଭିହିତ କରାଯାଏ।

ବ୍ରହ୍ମାଣ୍ଡପୁରାଣ ସହ ସମ୍ପୃକ୍ତ ଅନ୍ୟ ଏକ ପୌରାଣିକ କଥା ଅନୁସାରେ, ପ୍ରଜାପତି ବ୍ରହ୍ମା ବୈତରଣୀ ତଟରେ ଏକ ମହାଯଜ୍ଞ ଆୟୋଜନ କରିଥିଲେ। ସେହି ଯଜ୍ଞର ଅଗ୍ନିକୁଣ୍ଡରୁ ଦେବୀ ଆବିର୍ଭୂତ ହୋଇଥିଲେ। ବ୍ରହ୍ମାଙ୍କ ପ୍ରାର୍ଥନାରେ ଦେବୀ ଏହି କ୍ଷେତ୍ରରେ ବିରାଜମାନ ହୋଇଥିବାରୁ ଏହା ବିରଜାକ୍ଷେତ୍ର ନାମରେ ପରିଚିତ ହେଲା ବୋଲି ବିଶ୍ୱାସ ରହିଛି।

ଏହି ପରମ୍ପରାରେ ନବଦୁର୍ଗା, ଚଉଷଠି ଯୋଗିନୀ ଓ ଅଷ୍ଟଚଣ୍ଡୀଙ୍କ ଅଧିଷ୍ଠାନର ମଧ୍ୟ ବର୍ଣ୍ଣନା ରହିଛି ଯାହା ବିରଜାକ୍ଷେତ୍ରର ପ୍ରାଚୀନ ଶାକ୍ତ ମହିମାକୁ ପ୍ରତିପାଦିତ କରେ।

ମା ବିରଜା ମନ୍ଦିରର ଇତିହାସ ଅତ୍ୟନ୍ତ ପ୍ରାଚୀନ। ଓଡ଼ିଶା ସରକାରଙ୍କ ଦେବୋତ୍ତର ବିଭାଗର ତଥ୍ୟ ଅନୁସାରେ, ଗୁପ୍ତଯୁଗରେ ଏଠାରେ ଦେବୀଙ୍କ ମନ୍ଦିର ରହିଥିବା ବିଶ୍ୱାସ କରାଯାଏ। ପରବର୍ତ୍ତୀ ସମୟରେ ସୋମବଂଶୀ ଶାସନକାଳରେ ସମ୍ରାଟ ଯଯାତି ଦ୍ୱିତୀୟଙ୍କ ଦ୍ୱାରା ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଥିବା ଉଲ୍ଲେଖ ମିଳେ। ୧୫୬୮ ଖ୍ରୀଷ୍ଟାବ୍ଦର ଆଫଗାନ ଆକ୍ରମଣ ସମୟରେ ପ୍ରାଚୀନ ମନ୍ଦିର କ୍ଷତିଗ୍ରସ୍ତ ହୋଇଥିଲା। ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଯାଜପୁରର ଜମିଦାର ସୁଦର୍ଶନ ମହାପାତ୍ର ଏହାର ପୁନର୍ନିର୍ମାଣ ଓ ମରାମତି କରାଇଥିଲେ।ବର୍ତ୍ତମାନର ମନ୍ଦିରର ଉଚ୍ଚତା ପ୍ରାୟ ୭୦ ଫୁଟ। ଏହାର ପରିସରରେ ନାଭିଗୟା, ଈଶାନେଶ୍ୱର, ମୃତ୍ୟୁଞ୍ଜୟେଶ୍ୱର, ବଗଳାମୁଖୀ ଆଦି ଦେବଦେବୀଙ୍କ ଉପାସନାସ୍ଥଳୀ ରହିଛି।ମା’ ବିରଜାଙ୍କ ଦ୍ୱିଭୁଜା ମହିଷାମର୍ଦ୍ଦିନୀ ବିଗ୍ରହ ମଧ୍ୟ ଅତ୍ୟନ୍ତ ବିରଳ। ଦେବୀ ଗୋଟିଏ ହାତରେ ମହିଷାସୁରକୁ ନିୟନ୍ତ୍ରଣ କରି ଅନ୍ୟ ହାତରେ ତ୍ରିଶୂଳଦ୍ୱାରା ତାହାର ସଂହାର କରୁଥିବା ବିଗ୍ରହ ରୂପରେ ପୂଜିତା।

ସାଧାରଣତଃ ରଥଯାତ୍ରା କହିଲେ ପ୍ରତି ପ୍ରତ୍ୟେକ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମନକୁ ଆସେ। କିନ୍ତୁ ବିରଜାକ୍ଷେତ୍ରରେ ଶକ୍ତିସ୍ୱରୂପିଣୀ ଦେବୀଙ୍କ ରଥଯାତ୍ରା ଶାକ୍ତ ଉପାସନାକୁ ଏକ ଭିନ୍ନ ସ୍ୱତନ୍ତ୍ରତା ଓ ମର୍ଯ୍ୟାଦା ପ୍ରଦାନ କରିଛି।ଓଡ଼ିଶାର ଶାକ୍ତ ପରମ୍ପରାରେ ଏହି ରଥଯାତ୍ରା ନିଆରା । ମା’ ଶକ୍ତି ସ୍ୱରୂପା ବିରଜାଙ୍କ ରଥର ନାମ ସିଂହଧ୍ୱଜ ଏହାକୁ ବିଜୟା ରଥ ମଧ୍ୟ କୁହାଯାଏ ଓ ରଥର ଉଚ୍ଚତା: ପ୍ରାୟ ୫୬ ଫୁଟ,ଚକ ସଂଖ୍ୟା ୧୨ଟି, ବ୍ୟବହୃତ କାଠ ୮୯୮ ଖଣ୍ଡ,ରଥର ସାରଥୀ ଆଦିଦେବ ଚତୁର୍ମୁଖ ବ୍ରହ୍ମାଏବଂ ରଥଯାତ୍ରାର ଅବଧି ନଅଦିନ ଯାହା ମନ୍ଦିର ଚତୁଃପାର୍ଶ୍ୱରେ ଭକ୍ତଙ୍କ ଦ୍ଵାରା ଟଣାଯାଇଥାଏ। ରଥରେ ନବଗ୍ରହ ଓ ଦଶଦିଗପାଳଙ୍କ ପ୍ରତୀକାତ୍ମକ ବିଗ୍ରହ ରହିଛି ଏବଂ ଦ୍ୱାଦଶ ଚକକୁ ବର୍ଷର ବାରମାସର ପ୍ରତୀକ ଭାବେ ବ୍ୟାଖ୍ୟା କରାଯାଏ। ରଥର ସମ୍ମୁଖଭାଗରେ ଅଶ୍ୱ, ସିଂହ ଓ ଗଜର ବିରାଜିତ ରଥ ଟାଣିବା ପାଇଁ ବ୍ୟବହୃତ ଦୁଇଟି ରଜ୍ଜୁର ନାମ ସ୍ୱର୍ଣ୍ଣଚୂଡ଼ ଓ ଶଙ୍ଖଚୂଡ଼ ବୋଲି ପରମ୍ପରାଗତ କିମ୍ବଦନ୍ତୀ ବିବରଣୀରେ ଉଲ୍ଲେଖ ସେଥିଲାଗି ମା’ ବିରଜାଙ୍କ ରଥଯାତ୍ରା ଏକ ସୁପ୍ରାଚୀନ ଧାର୍ମିକ ପରମ୍ପରା ଭାବେ ଆଖ୍ୟାୟିତ। ଏହି ଉତ୍ସବ ଶତାବ୍ଦୀ ଧରି ପ୍ରଚଳିତ ଥିବା ଏକ ପ୍ରାଚୀନ ପରମ୍ପରା ଭାବେ ସ୍ୱୀକୃତ ହେଲେ ମଧ୍ୟ ଏହାର ନିର୍ଦ୍ଦିଷ୍ଟ ଆରମ୍ଭ ବର୍ଷ ନିର୍ଣ୍ଣୟ ପାଇଁ ଅଧିକ ଐତିହାସିକ ଗବେଷଣା ଆଜିବି ଯାରିରହିଛି ।

ଭଗବାନ ଶ୍ରୀ ବିଷ୍ଣୁଙ୍କ ପଞ୍ଚମ ଅବତାର ପ୍ରଭୁ ଶ୍ରୀ ବାମନ ଜନ୍ମ ଭାଦ୍ରବ ଶୁକ୍ଳ ଦ୍ୱାଦଶୀରେ ତିଥିରେ ରଥନିର୍ମାଣର ଶୁଭାରମ୍ଭ ହୋଇଥାଏ । ଏହି ଅବସରରେ ଗଣେଶ ଓ ସରସ୍ୱତୀଙ୍କ ପୂଜା, ସ୍ୱର୍ଣ୍ଣଛେଦନୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ନୀତି ଉକ୍ତ ଦିବସରେ ଅନୁଷ୍ଠିତ ହୋଇଥାଏ।ବିଲ୍ୱବରଣ ବା ବନଯାଗ ବିଧି ସହିତ ରଥନିର୍ମାଣର ଧାର୍ମିକ ପ୍ରକ୍ରିୟା ମଧ୍ଯ ଆରମ୍ଭ ହୁଏ। ଏଥିରେ ବିଲ୍ୱବୃକ୍ଷର ପୂଜା ଏକ ବିଶେଷ ଅଙ୍ଗ ପୂର୍ବକ କାରିଗରମାନେ ପାରମ୍ପରିକ ନିର୍ମାଣଶୈଳୀରେ ରଥ ପ୍ରସ୍ତୁତ କରନ୍ତି।

ମହାଳୟା ଅମାବାସ୍ୟା ସୁଦ୍ଧା ରଥ ପ୍ରସ୍ତୁତ କରାଯାଇ ରଥାଧିବାସ ନୀତି ଅନୁଷ୍ଠିତ ହୁଏ। ଏହାପରେ ଆଶ୍ୱିନ ଶୁକ୍ଳ ପ୍ରତିପଦାରୁ ରଥଯାତ୍ରା ଆରମ୍ଭ ହୋଇ ଷୋଡ଼ଶ ଦିନାତ୍ମକ ପୂଜା ଓ ନବଦିନାତ୍ମକ ରଥଯାତ୍ରା କାର୍ଯ୍ୟ ଆରମ୍ଭ ହୁଏ

ଅତଏବ ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀଠାରୁ ଦେବୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୁଏ। ଘଟସ୍ଥାପନ, ମହାସ୍ନାନ, ଷୋଡ଼ଶୋପଚାର ପୂଜା, ବୈଦିକ ଶାସ୍ତ୍ରୀୟ ମନ୍ତ୍ରୋଚ୍ଚାରଣ ଓ ଚଣ୍ଡୀପାଠ ଏହାର ଅନ୍ୟତମ ଅଙ୍ଗ,ମହାଳୟା ଅମାବାସ୍ୟାରେ ରଥାଧିବାସ ପରେ ଆଶ୍ୱିନ ଶୁକ୍ଳ ପ୍ରତିପଦାରେ ରଥପ୍ରତିଷ୍ଠା ହୁଏ। ଯଜ୍ଞ ଓ ପୂଜା ସମାପନ ପରେ ମା’ଙ୍କ ବିଜେପ୍ରତିମାଙ୍କୁ ଶୋଭାଯାତ୍ରାରେ ଆଣି ସିଂହଧ୍ୱଜ ରଥରେ ଅଧିଷ୍ଠିତ କରାଯାଏ।

ଘଣ୍ଟ, ଶଙ୍ଖ, ବାଦ୍ୟ ଓ ଜୟଧ୍ୱନିରେ ମନ୍ଦିର ପରିସର ମୁଖରିତ ହୋଇଉଠେ। ପ୍ରତିଦିନ ରଥକୁ ମନ୍ଦିର ଚତୁଃପାର୍ଶ୍ୱରେ ପରିକ୍ରମା କରାଯାଏ ପୁରାଣ ଓ ସସ୍ତ୍ରୀୟ ମତରେ ଦେବୀଙ୍କ ଏହି ରଥାରୂଢ଼ ରୂପକୁ ଦର୍ଶନ କଲେ ପାପକ୍ଷୟ ଓ ପୁଣ୍ୟଲାଭ ହୁଏ ବୋଲି ଭକ୍ତମାନଙ୍କ ମଧ୍ୟରେ ଗଭୀର ବିଶ୍ୱାସ ରହିଛି। ମା ବିରଜାଙ୍କ ରଥଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି ମହାନବମୀ ରାତ୍ରିର ଲାଖବିନ୍ଧା ନୀତି।

ନଅଦିନର ରଥଯାତ୍ରା ସମାପନ ପରେ ଦେବୀଙ୍କ ବିଜେପ୍ରତିମାଙ୍କୁ ସ୍ୱତନ୍ତ୍ର ବିମାନରେ ଲାଖବିନ୍ଧା ସ୍ଥଳକୁ ନିଆଯାଏ। ସେଠାରେ ଦେବୀଙ୍କୁ ମହାମାରୀ ରୂପରେ ପୂଜା କରାଯାଏ।ପାରମ୍ପରିକ ବିଧି ଅନୁସାରେ ପୂଜକ ଚାରିଦିଗକୁ ଶର ନିକ୍ଷେପ କରନ୍ତି। ଏହାପରେ ନିରବ ଓ ଗମ୍ଭୀର ପରିବେଶରେ ଦେବୀଙ୍କୁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରାଯାଏ। ଏହି ନୀତି ସହିତ ନବଦିନାତ୍ମକ ରଥଯାତ୍ରାର ପରିସମାପ୍ତି ଘଟେ।

ଏହା ଦେବୀଙ୍କ ଶକ୍ତି, ସୁରକ୍ଷା ଓ ଅଶୁଭ ବିନାଶର ପ୍ରତୀକାତ୍ମକ ଅନୁଷ୍ଠାନ ଭାବେ ବିବେଚିତ।

ମା’ ବିରଜାଙ୍କ ବିଜୟା ରଥଯାତ୍ରା କେବଳ ଏକ ଧାର୍ମିକ ଶୋଭାଯାତ୍ରା କହିବା ଭୁଲ ହୋଇପାରେ । ଏହା ଓଡ଼ିଶାର ପ୍ରାଚୀନ ଶାକ୍ତ ସାଧନା, ତାନ୍ତ୍ରିକ ଉପାସନା, ପୁରାଣୀୟ ବିଶ୍ୱାସ ଓ ଲୋକସଂସ୍କୃତିର ଏକ ଜୀବନ୍ତ ଐତିହ୍ୟ।

ଏହି ମହାପର୍ବ ଭକ୍ତମାନଙ୍କ ମନରେ ଏକ ଚିରନ୍ତନ ବାର୍ତ୍ତା ଜାଗ୍ରତ କରେ ବିଶେଷକରି ଶକ୍ତି ହେଉଛି ଜୀବନର ଆଧାର, ଧର୍ମ ହେଉଛି ମାନବତାର ମାର୍ଗ ଏବଂ ଭକ୍ତି ହେଉଛି ଆତ୍ମିକ ଉନ୍ନତିର ସାଧନ। ବାସ୍ତବରେ ବିରଜାକ୍ଷେତ୍ରରେ ଯେତେବେଳେ ସିଂହଧ୍ୱଜ ରଥ ଗଡ଼ିଚାଲେ, ସେତେବେଳେ କେବଳ ଏକ କାଷ୍ଠନିର୍ମିତ ରଥ ଗତି କରେନାହିଁ; ତାହା ସହିତ ଗତି କରେ ଯୁଗଯୁଗର ଆସ୍ଥା, ଶାକ୍ତ ସାଧନାର ମହିମା ଏବଂ ଓଡ଼ିଆ ଜାତିର ଅମ୍ଳାନ ସାଂସ୍କୃତିକ ଚେତନା ଯାହା ଯୁଗ ଯୁଗ ଧରି ଭକ୍ତ ମାନଙ୍କ ଆଶା ବିଶ୍ୱାସ କୁ ଆଜିବି ଉଦିପ୍ତ କରି ରଖିଛି.

ପଣ୍ଡିତ ସ୍ୱାଧୀନ ଦାଶ

- Advertisement -

Related Articles

Stay Connected

20,832FansLike
0FollowersFollow
22,900SubscribersSubscribe
- Advertisement -spot_img

Latest Articles