ଓଡ଼ିଶା ଓ ଓଡ଼ିଆଙ୍କ ସ୍ୱାର୍ଥ ରକ୍ଷା ପାଇଁ ଗଠନ ହେଲା ମୁଁ ଓଡ଼ିଆ, ମୋ ଓଡ଼ିଶା’ ସଂଗଠନ

0
9

ଓଡ଼ିଶା ଓ ଓଡ଼ିଆଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏକ ମିଳିତ ପ୍ରୟାସ ଆରମ୍ଭ ହୋଇଛି। ‘ମୁଁ ଓଡ଼ିଆ, ମୋ ଓଡ଼ିଶା’ ସଂଗଠନ ପୂର୍ବରୁ ଓଡ଼ିଆ ନୂଆବର୍ଷକୁ ଘରେ ଘରେ ପାଳନ କରିବାର ଭିନ୍ନ ଏକ ପ୍ରୟାସ କରିସାରିଛି। ବର୍ତ୍ତମାନ ସଂଗଠନ ଆଗକୁ ବଢ଼ିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଜନା ପ୍ରସ୍ତୁତ ହୋଇଛି। ଏହି ବୈଠକରେ ସଂଗଠନର କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ସମାଜସେବୀ, ଶିଳ୍ପପତି ତଥା ଟିମ ଆଡ଼ମାର୍କର ପରିଚାଳନା ନିର୍ଦେଶକ ନିଶିକାନ୍ତ ମିଶ୍ରଙ୍କୁ ମୁଁ ଓଡ଼ିଆ ମୋ ଓଡ଼ିଶାର ସଭାପତି ଭାବେ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିବା ବେଳେ ଉଦ୍ୟୋଗୀ ତଥା ୟୁସିସିଆଇଏଲ ସମ୍ପାଦକ ସଂଜୀବ ମହାପାତ୍ରଙ୍କ ସମେତ ଅନ୍ୟ ଦୁଇ ଜଣ ଉପସଭାପତି, ଡ଼ ସ୍ୱାଧୀନ ଦାଶ ବରିଷ୍ଠ ସାଧାରଣ ସମ୍ପାଦକ, ଆବାହକ ଭାବେ କୃଷ୍ଣଚନ୍ଦ୍ର ପତି ତଥା ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା ହୋଇଛି। ସମାଜସେବୀ ତଥା ମାନବାଧିକାର କର୍ମୀ ସସ୍ମିତା ଦାସଙ୍କୁ ସଂଗଠନର ମହିଳା ବିଭାଗର ରାଜ୍ୟ ମୁଖ୍ୟ ତଥା କୃଷକ ନେତା ସଚିନ ମହାପାତ୍ରଙ୍କୁ ରାଜ୍ୟ ଯୁବ ବିଭାଗର ସଭାପତି ଭାବେ ଚୟନ କରାଯାଇଛି। ଏହି ଅବସରରେ ସଂଗଠନର ଡିଜିଟାଲ ଓ ଗଣମାଧ୍ୟମ ଶାଖା ମଧ୍ୟ ଗଠିତ ହୋଇଛି। ବରିଷ୍ଠ ସାମ୍ବାଦିକ ଚିନ୍ମୟ ମହାପାତ୍ର ଗଣମାଧ୍ୟମ ଶାଖାର ମୁଖ୍ୟ ସଂଯୋଜକ ରହିଥିବା ବେଳେ ସୁଶାନ୍ତ ସାହୁ ଡିଜିଟାଲ ଶାଖାର ସଂଯୋଜକ ହୋଇଛନ୍ତି। ଏହି ଅବସରରେ ନବନିଯୁକ୍ତ କାର୍ଯ୍ୟକର୍ତାମାନେ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶାର ସ୍ୱାର୍ଥ, ଓଡ଼ିଆ ଭାଷା, ସଂସ୍କୃତି, ଅସ୍ମିତା ଓ ସ୍ୱାଭିମାନର ସୁରକ୍ଷା ସହ ରାଜ୍ୟର ସାମଗ୍ରିକ ବିକାଶ ଦିଗରେ ଆମର ଆଗାମୀ ପଦକ୍ଷେପ ବୈଠକରେ ସ୍ଥିର ହୋଇଛି। ଖୁବ ଶୀଘ୍ର ଅନୁଷ୍ଠାନ ବିଧିବଦ୍ଧ ଭାବେ ଲୋକାର୍ପିତ ହେବା ସହ ବିଭିନ୍ନ ଜିଲ୍ଲା, ରାଜ୍ୟ, ଅନ୍ୟାନ୍ୟ ରାଜ୍ୟ ଓ ସାରା ବିଶ୍ୱରେ ଥିବା ଓଡ଼ିଆଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବ ବୋଲି କୁହାଯାଇଛି। ଆଜି ମୋଟ ୨୩ କାର୍ଯ୍ୟକର୍ତାଙ୍କ ନାଁ ଘୋଷଣା ହୋଇଛି. ଯେଉଁଥି ଅନେକ ଉପ ସଭାପତି ଓ ସମ୍ପାଦକ ଅଛନ୍ତି. ବରିଷ୍ଠ ସାମ୍ବାଦିକ ତଥା ଏମବିସି ଟିଭିର ଡେପୁଟି ଏଡିଟର ମଳୟ ରଞ୍ଜନ ମହାନ୍ତି ଉପସଭାପତି ଥିବା ବେଳେ ସାମ୍ବାଦିକ ସରୋଜ ମଲ୍ଲିକ ପ୍ରମୁଖ କର୍ମକର୍ତା ରହିଛନ୍ତି.