ଅଦିନିଆ ବର୍ଷା ପ୍ରେମରେ ମୟୁର

- Advertisement -

​ଜାଣିଛ, ମୟୂରଟି ଯଦି ଅଦିନିଆ ବର୍ଷା ସହିତ ପ୍ରେମରେ ପଡ଼ିଯାଏ ! ତାହେଲେ ସେମାନେ ଭେଟିବେ କେଉଁଠି ? ଶ୍ରାବଣ-ଭାଦ୍ରବର ନିୟମିତ ସାବଲୀଳତାରେ ନା ଅସମୟର କୋହଲା ନୀରବତାରେ ? ଜଙ୍ଗଲର ସବୁଜ ନୃତ୍ୟସଭାରେ ନା କଳା ମେଘର ଅଚାନକ ଡାକରାରେ ?

​ତମେ ବେଳେବେଳେ ଏମିତି କିଛି ବ୍ୟାକୁଳ ପ୍ରଶ୍ନ ପଚାର ଯେ ସେସବୁର ଉତ୍ତର ଖୋଜୁଖୋଜୁ ମୁଁ ନିଜେ ହଜିଯାଏ । ଟିକେ ଦାର୍ଶନିକ ଭାବରେ କହିଲି, ପ୍ରେମ କ’ଣ କେବେ ଋତୁ କି ସମୟର ପଞ୍ଜିକା ଦେଖି ଆସେ ?​ତମେ ସନ୍ତୁଷ୍ଟ ହେଲନି ଏ ଉତ୍ତରରେ । ଓଲଟି ଓଲଟା ଯୁକ୍ତି କଲ, ପ୍ରେମ ଯେତେ ଗଭୀର ହେଲେବି ମୟୂର ନିଜ ଶ୍ରାବଣକୁ ଅପେକ୍ଷା କରିବା ଛାଡ଼ିପାରିବନି କି ଅଦିନିଆ ବର୍ଷା ନିଜର ଆସିବା-ଯିବାର ଅନିଶ୍ଚିତତାକୁ । ତେବେ କ’ଣ ଏ ସଂପର୍କ ଅପୂର୍ଣ୍ଣ ରହିଯିବ !​ଚତୁରତାର ସହ କହିଲି, ତମେ ଏ ପ୍ରଶ୍ନ ପଚାରିବା ପୂର୍ବରୁ କୋଉଠି ନା କୋଉଠି, କୌଣସି ଅସମୟ ମେଘ ଆଉ ପ୍ରେମାତୁର ମୟୂର ଭିତରେ ପ୍ରେମ ହୋଇଥିବ । ତେଣୁ ସେମାନେ ଭେଟିବାର ଗୋଟେ ଅଦୃଶ୍ୟ ରାସ୍ତା ନିଶ୍ଚୟ ବାହାର କରିସାରିଥିବେ ।​ତଥାପି ତମ ମନ ବୁଝିଲାନି, ପୁଣି ସେଇ ଜିଦ୍ ଧରିଲ । କହିଲ, ଧରାଯାଉ ଏହା ପ୍ରଥମ ଥର । ପୃଥିବୀର ପ୍ରଥମ ଅଦିନିଆ ବର୍ଷା ଓ ମୟୂର ଭିତରେ ପ୍ରେମ ହେଇଛି ଏବେଏବେ । ତାହେଲେ କେଉଁଠି ଓ କେବେ ରହିବେ ସେମାନେ ?​ଏଥର ସତରେ ମୁସ୍କିଲ ଥିଲା ମୋ ପାଇଁ ଉତ୍ତର ଦେବା । କିଛି ଉପାୟ ନପାଇ ମୁଁ ଫେରିଆସିଲି ଆମ ସଂପର୍କର ପରିଧି ଭିତରକୁ । ତମେ ଓ ମୋ ସଂପର୍କ ଭିତରେ ଯାବତୀୟ ଅନିଶ୍ଚିତତା । ଭାଗ୍ୟଠୁ ନେଇ ସମୟ, ପରିସ୍ଥିତିଠୁ ନେଇ ସାମାଜିକ ଦୂରତା । କିନ୍ତୁ ଏସବୁ କେବେ ଅଟକାଇ ପାରିନାହାନ୍ତି ଆମ ଆବେଗକୁ ।

​ଟିକେ ନିରବ ରହିଲି । ଗୋଟେ ଲମ୍ବା ନିଶ୍ବାସ ନେଇ ଫେରିଲି ମୟୂର-ବର୍ଷାର ଉପାଖ୍ୟାନକୁ । କହିଲି, ସେମାନେ ନା ନିୟମିତ ଋତୁରେ ରହିବେ ନା ନିର୍ଦ୍ଦିଷ୍ଟ ଜାଗାରେ । ସେମାନେ ରହିବେ ସେହି ଗୋଟିଏ ଅପ୍ରତ୍ୟାଶିତ ମୁହୂର୍ତ୍ତରେ, ଯେଉଁଠି ଗୋଟିଏ ବୁନ୍ଦା ପଡ଼ିଲେ ବି ମୟୂରର ପୁଁଛ ମେଲିଯାଏ ।​ଏଥର ଉତ୍ତର ତମ ମନକୁ ପାଇଗଲା । ବୋଧେ ତମେ ଆମ ଅସମୟ ପ୍ରେମର ସମ୍ଭାବନାକୁ ତଉଲୁଥିଲ, ମୟୂର ଆଉ ବର୍ଷାର ସଂପର୍କକୁ ନୁହେଁ ।

​

- Advertisement -

Related Articles

Stay Connected

20,832FansLike
0FollowersFollow
22,900SubscribersSubscribe
- Advertisement -spot_img

Latest Articles