*‘ସ୍ୱଚ୍ଛ ସମ୍ବର୍ଦ୍ଧନା ଉତ୍ସବ–୨୦୨୬’
ଦ୍ୱିତୀୟ ଦିନରେ ୧୦୦ ସ୍ୱଚ୍ଛତା ହିରୋ ସମ୍ବର୍ଦ୍ଧିତ*
• କେଏମସି ଜୋନ୍–୨ ଓ ଜୋନ୍–୫ର ସ୍ୱଚ୍ଛତା କର୍ମୀଙ୍କୁ ସମ୍ମାନ
• ସ୍ୱଚ୍ଛତା କର୍ମୀଙ୍କ ବର୍ତ୍ତମାନ ଓ ଭବିଷ୍ୟତର ସୁରକ୍ଷା ପାଇଁ କେଏମସି ପ୍ରତିଶ୍ରୁତିବଦ୍ଧ: ମେୟର
• ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ କର୍ମୀଙ୍କୁ ସଚେତନତା
*କଟକ, ୭ ଅକ୍ଟୋବର ୨୦୨୬:* କଟକ ସହରକୁ ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର ରଖିବାରେ ନିରବଚ୍ଛିନ୍ନ ଭାବେ ନିଜର ସେବା ଯୋଗାଇ ଆସୁଥିବା ସ୍ୱଚ୍ଛତା କର୍ମୀଙ୍କୁ ସମ୍ମାନ ଓ ସ୍ୱୀକୃତି ଜଣାଇବା ଉଦ୍ଦେଶ୍ୟରେ କଟକ ମହାନଗର ନିଗମ ପକ୍ଷରୁ ଆୟୋଜିତ ‘ସ୍ୱଚ୍ଛ ସମ୍ବର୍ଦ୍ଧନା ଉତ୍ସବ–୨୦୨୬’ର ଦ୍ୱିତୀୟ ଦିନରେ ୧୦୦ ଜଣ ସ୍ୱଚ୍ଛତା ହିରୋଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ଶହୀଦ ଭବନଠାରେ ଆୟୋଜିତ ତିନିଦିନିଆ ଉତ୍ସବର ଦ୍ୱିତୀୟ ଦିବସକୁ କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂହ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏଥିରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ସୌରିନ୍ଦ୍ର କୁମାର ରାଉତରାୟ, ଓଡ଼ିଶା ଅର୍ବାନ ଏକାଡେମୀର ନିର୍ଦ୍ଦେଶିକା ତଥା ଯୁଗ୍ମ ସଚିବ ଶ୍ରୀମତୀ ମମତାରାଣୀ ନାୟକ, କେଏମସି କମିଶନର ସୁଶ୍ରୀ କିରନଦୀପ କୌର ସହୋତା, ବିଭିନ୍ନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କ ସମେତ କେଏମସିର ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଥିଲେ।ପ୍ରାରମ୍ଭରେ ସାନିଟେସନ୍ ବିଭାଗର ଡେପୁଟି କମିଶନର ଶ୍ରୀ ଜୁବୁଲି ଚରଣ ବେହେରା ସ୍ବାଗତ ଅଭିଭାଷଣ ପ୍ରଦାନ କରି ‘ସ୍ୱଚ୍ଛ ସମ୍ବର୍ଦ୍ଧନା ଉତ୍ସବ’ ଓ ‘ବଡ଼ାଖାନା’କୁ ସ୍ୱଚ୍ଛ ହିରୋମାନଙ୍କୁ ସ୍ୱାଗତ ଜଣାଇବା ସହ ସହରକୁ ସ୍ୱଚ୍ଛ ରଖିବାରେ ସେମାନଙ୍କ ନିଷ୍ଠାପର ସେବା କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ। କେଏମସି ନିରନ୍ତର ଭାବେ ଆପଣାଉଥିବା ବିଭିନ୍ନ ସାମାଜିକ ଓ ପରିବେଶ ସୁରକ୍ଷା ସଂପର୍କିତ ସଚେତନତା ସଂପର୍କରେ ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମରେ କେଏମସି କମିଶନର ସୁଶ୍ରୀ କିରନଦୀପ କୌର ସହୋତା କହିଥିଲେ ଯେ, ସକାଳୁ ଉଠି ସଫା ରାସ୍ତା ଓ ସଫା ଗଳି ଦେଖିବା ପଛରେ ଶତାଧିକ ସ୍ୱଚ୍ଛତା କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ରହିଛି। ସେମାନଙ୍କ ପରିଶ୍ରମ କେବଳ ସହରରୁ ଆବର୍ଜନା ହଟାଏ ନାହିଁ, ବରଂ ସହରବାସୀଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ସମ୍ମାନକୁ ମଧ୍ୟ ସୁରକ୍ଷିତ ରଖେ। ଏଭଳି ସ୍ୱଚ୍ଛତା ହିରୋମାନଙ୍କୁ ସମ୍ମାନିତ କରିବା କେଏମସି ପାଇଁ ଗୌରବର ବିଷୟ ବୋଲି ସେ କହିଥିଲେ।ମେୟର ଶ୍ରୀ ସୁବାସ ସିଂହ କହିଥିଲେ ଯେ, ସ୍ୱଚ୍ଛତା କର୍ମୀମାନଙ୍କ ବର୍ତ୍ତମାନ ଓ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ କଟକ ମହାନଗର ନିଗମ ସବୁବେଳେ ପ୍ରତିଶ୍ରୁତିବଦ୍ଧ। ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ସହ ଉତ୍ତମ ସ୍ୱାସ୍ଥ୍ୟସେବା ଓ ସାମାଜିକ ସୁରକ୍ଷା ଯୋଗାଇଦେବା ପାଇଁ କେଏମସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସହରର ସ୍ୱଚ୍ଛତା ବ୍ୟବସ୍ଥାରେ ନିୟୋଜିତ ପ୍ରତ୍ୟେକ ସ୍ୱଚ୍ଛ ଯୋଦ୍ଧାଙ୍କ ପାଇଁ ସମଗ୍ର କଟକ ସହର ଗର୍ବିତ ବୋଲି ସେ କହିଥିଲେ।
ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ସୌରିନ୍ଦ୍ର କୁମାର ରାଉତରାୟ କହିଥିଲେ ଯେ, ‘ସ୍ୱଚ୍ଛ ସମ୍ବର୍ଦ୍ଧନା ଉତ୍ସବ–୨୦୨୬’ କେବଳ ଏକ ସମ୍ମାନ ସମାରୋହ ନୁହେଁ; ଏହା କଟକ ସହରର ସ୍ୱଚ୍ଛତା ପଛରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିବା ସ୍ୱଚ୍ଛତା ହିରୋମାନଙ୍କ ପ୍ରତି ସାମୂହିକ କୃତଜ୍ଞତାର ପ୍ରକାଶ।
ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଏବଂ ଓଡ଼ିଶା ଅର୍ବାନ ଏକାଡେମୀର ନିର୍ଦ୍ଦେଶିକା ଶ୍ରୀମତୀ ମମତାରାଣୀ ନାୟକ ସ୍ୱଚ୍ଛତା କର୍ମୀ ଓ ସଫେଇ କର୍ମଚାରୀମାନଙ୍କୁ ସହରର ପ୍ରକୃତ ହିରୋ ଭାବେ ଅଭିହିତ କରି ସେମାନଙ୍କୁ ସମ୍ମାନିତ କରିବା ଗୌରବର ବିଷୟ ବୋଲି କହିଥିଲେ।
ଜୋନ୍–୨ ଓ ଜୋନ୍–୫ର ୧୦୦ ସ୍ୱଚ୍ଛତା ହିରୋ ସମ୍ବର୍ଦ୍ଧିତଉତ୍ସବର ଦ୍ୱିତୀୟ ଦିନରେ ପ୍ରତ୍ୟୁଷ ମଲ୍ଟିସର୍ଭିସେସ୍ ଅର୍ଗାନାଇଜେସନ ଦ୍ୱାରା ପରିଚାଳିତ କେଏମସିର ଜୋନ୍–୨ ଓ ଜୋନ୍–୫ ଅଧୀନରେ ଥିବା ୨୦ଟି ୱାର୍ଡରେ କାର୍ଯ୍ୟରତ ୧୦୦ ଜଣ ସ୍ୱଚ୍ଛତା କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ସଫେଇ କର୍ମୀ, କୁଲି, ଡ୍ରାଇଭର, ଲୋଡର, ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରୁଥିବା କର୍ମୀଙ୍କୁ ସ୍ବଚ୍ଛ ଚାମ୍ପିଅନ୍ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ କେଏମସିର ସାନିଟେସନ୍ ଇନ୍ସପେକ୍ଟର ଓ ସାନିଟେସନ୍ ଏକ୍ସପର୍ଟମାନେ ସାମିଲ ଥିଲେ।
ଜାତୀୟ ସ୍ୱଚ୍ଛ ବାୟୁ ସର୍ବେକ୍ଷଣରେ ସ୍ୱୀକୃତି ଲାଭ କରିଥିବା କେଏମସିର ୪୩ ନମ୍ବର ୱାର୍ଡର କର୍ପୋରେଟ ସୁଶ୍ରୀ ପ୍ରମିଳା ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଜୋନ୍ ୨ ଓ ଜୋନ୍ ୫ ଅନ୍ତର୍ଗତ ବିଭିନ୍ନ ୱାର୍ଡର କର୍ପୋରେଟରମାନଙ୍କୁ ମଧ୍ୟ ମେୟର ଶ୍ରୀ ସୁବାସ ସିଂହ ଉପଢୌକନ ଓ ସ୍ମାରକ ପ୍ରଦାନ କରି ସମ୍ମାନିତ କରିଥିଲେ। ପରେ ଲୋକପ୍ରତିନିଧିମାନେ ନିଜ ନିଜ ଅଞ୍ଚଳରେ କାର୍ଯ୍ୟରତ ସ୍ୱଚ୍ଛତା କର୍ମୀଙ୍କୁ ସମ୍ମାନିତ କରିଥିଲେ।
କାର୍ଯ୍ୟକ୍ରମରେ EPFର ରିଜିଓନାଲ ପିଏଫ୍ କମିଶନର ଶ୍ରୀମତୀ ମୌସୁମୀଲତା ପାଢ଼ୀ ଏବଂ କର୍ମଚାରୀ ରାଜ୍ୟ ବୀମା ନିଗମ, କଟକ ଶାଖାର ପ୍ରବନ୍ଧକ ଶ୍ରୀ ବିଧାନ ଚନ୍ଦ୍ର ଶୀଲ୍ ଯୋଗଦେଇ ସ୍ୱଚ୍ଛତା କର୍ମୀଙ୍କୁ EPF ଓ ESI ସମେତ ବିଭିନ୍ନ ସାମାଜିକ ସୁରକ୍ଷା ଓ କଲ୍ୟାଣମୂଳକ ସୁବିଧା ସମ୍ପର୍କରେ ସଚେତନ କରିଥିଲେ। ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ସେ ଅପିଲ୍ ମଧ୍ୟ କରିଥିଲେ। ଏହି ଅବସରରେ ବିଭିନ୍ନ ଏଜେନ୍ସି ପକ୍ଷରୁ ସ୍ୱଚ୍ଛତା କର୍ମୀମାନଙ୍କୁ ପରିଚୟପତ୍ର, EPF କାର୍ଡ, ESI ନମ୍ବର ଏବଂ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତି ସମ୍ପର୍କିତ ବିବରଣୀ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ହେଲ୍ଥ ଓ ସାନିଟେସନ୍ ବିଭାଗର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଶ୍ରୀମତୀ ଦୀପ୍ତିମୟୀ ମୂଳିଆ, ଗ୍ରୀଭାନ୍ସ ଓ ସୋସିଆଲ ଜଷ୍ଟିସ୍ ବିଭାଗର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଶ୍ରୀମତୀ ପ୍ରଳୟା ବେଉରା, ADUPHO ଡାକ୍ତର ସତ୍ୟବ୍ରତ ମହାପାତ୍ର, ନଗର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୃପେନ୍ଦ୍ର କୁମାର ଶତପଥୀ ଏବଂ ସାନିଟେସନ୍ ବିଭାଗର ଡେପୁଟି କମିଶନର ଶ୍ରୀ ଜୁବୁଲି ଚରଣ ବେହେରା ପ୍ରମୁଖ ଯୋଗଦେଇଥିଉତ୍ସବର ଏକ ପ୍ରମୁଖ ଆକର୍ଷଣ ଭାବେ ସମସ୍ତ ସଫେଇ ଓ ସ୍ୱଚ୍ଛତା କର୍ମୀଙ୍କ ପାଇଁ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ‘ବଡ଼ାଖାନା’ ଆୟୋଜନ କରାଯାଇଥିଲା। ସହରକୁ ସ୍ୱଚ୍ଛ ରଖିବାରେ ସେମାନଙ୍କ ନିଷ୍ଠା ଓ ଅବଦାନ ପ୍ରତି କୃତଜ୍ଞତା ଓ ଆତ୍ମୀୟତା ପ୍ରକାଶ କରିବା ଏହାର ଉଦ୍ଦେଶ୍ୟ ଥିଲା। ଏହାସହ ସ୍ୱଚ୍ଛତା କର୍ମୀଙ୍କ ପାଇଁ ମ୍ୟୁଜିକ୍ ଚେୟାର, ରଙ୍ଗୋଲି ସମେତ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଶ୍ରୀ ସୁଶାନ୍ତ କୁମାର ମହାନ୍ତିଙ୍କ ପ୍ରଯୋଜିତ ଏବଂ ଶ୍ରୀ ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଲାଇନ୍ ମ୍ୟାନ୍’ ପ୍ରଦର୍ଶିତ ହୋଇଥିଲା।
କାର୍ଯ୍ୟକ୍ରମ ଶେଷରେ ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ ଧନ୍ୟବାଦ ଅର୍ପଣ କରି ସହରକୁ ସ୍ୱଚ୍ଛ ରଖିବାରେ ସ୍ୱଚ୍ଛତା ଓ ସଫେଇ କର୍ମୀଙ୍କ ଅବଦାନ ଅମୂଲ୍ୟ ଓ ସ୍ମରଣୀୟ ବୋଲି କହିଥିଲେ। ଏହି ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।