ଭୁଲିଯିବା ଭଲ !

- Advertisement -

ଭୁଲିଯିବା ଗୋଟେ ଭଲ ଅଭ୍ୟାସ। ବେଳେବେଳେ ଜୀବନରେ କିଛି କଥାକୁ ମନେ ରଖିବାଠାରୁ ଭୁଲିଯିବା ଅଧିକ ଶାନ୍ତି ଦିଏ। ଆଜିର ଦୁନିଆରେ ଯିଏ ଯେତେ ଶୀଘ୍ର ଭୁଲିବା ଶିଖିଯାଏ, ସେ ବୋଧହୁଏ ସେତେ ଶାନ୍ତିରେ ବଞ୍ଚିପାରେ। ସବୁକିଛି ମନେ ରଖି ଲାଭ ବି କ’ଣ? ମଣିଷର ଜୀବନଟା ଯେମିତି ଗୋଟେ ଲମ୍ବା ରେଖା । ଯାହାର ଗୋଟିଏ ପାର୍ଶ୍ୱରେ ସ୍ମୃତି, ଆଉ ଅନ୍ୟ ପାର୍ଶ୍ୱରେ ଭୁଲିଯିବା। ଆଜି ଟିକେ ଭାବନ୍ତୁ ତ… ଆପଣ ଆପଣଙ୍କ ବାପାଙ୍କୁ ମନେ ରଖିଛନ୍ତି, ବାପାଙ୍କ ବାପାଙ୍କୁ ବି ହୁଏତ ମନେ ରଖିଛନ୍ତି। କିନ୍ତୁ ତାଙ୍କ ବାପାଙ୍କ ନାଁ? ତାଙ୍କ ଚେହେରା? ତାଙ୍କ ଜୀବନର କାହାଣୀ? ତିନି-ଚାରି ପୁରୁଷ ପଛକୁ ଗଲେ ଆମ ସ୍ମୃତି ଧୀରେ ଧୀରେ ଧୂସର ହୋଇଯାଏ। ଆମେ ସେମାନଙ୍କୁ ଭୁଲିଯାଉ। ତଥାପି ଆମେ ଖୁସିରେ ଅଛୁ। ଘର ଅଛି, ଜମି ଅଛି, ଧନସମ୍ପତ୍ତି ଅଛି, ନିଜର ଗୋଟେ ଦୁନିଆ ଅଛି। ତାହେଲେ କହନ୍ତୁ, ଏଠି ଭୁଲିଯିବାଟା ଆଶୀର୍ବାଦ ନୁହେଁ କି? ଦିନେ ରୋଜି ବି ମୁନାକୁ ଭୁଲିଯାଇଥିଲା। ଏକଦିନ ଯେଉଁ ମଣିଷଟା ତା’ ଜୀବନର ସବୁଠାରୁ ବଡ଼ କାହାଣୀ ଥିଲା, ସମୟ ଗଡ଼ିବା ସହ ସେହି କାହାଣୀଟା ଧୀରେ ଧୀରେ ପୁରୁଣା ହୋଇଗଲା। ଆଜି ମୁନା ନିଜ ଜୀବନରେ ଖୁସି, ରୋଜି ବି ନିଜ ଜୀବନରେ ଖୁସି।

ଯଦି ଦୁହେଁ ସେହି ପୁରୁଣା ପ୍ରେମ, ପୁରୁଣା ଅଭିମାନ, ପୁରୁଣା କଥାକୁ ଆଜି ବି ମନେ ରଖିଥାନ୍ତେ, ତେବେ ହୁଏତ ଦୁହିଁଙ୍କ ଜୀବନ ଆଜି ବି କଷ୍ଟରେ ଥାଆନ୍ତା। ସମୟର ଚକ୍ର ଦୁହିଁଙ୍କୁ ପରସ୍ପରଠାରୁ ଦୂରେଇ ଦେଲା, ଆଉ ଦିନେ ପରସ୍ପରକୁ ଭୁଲିଯିବା ହିଁ ସେମାନଙ୍କ ପାଇଁ ଭଲ ହୋଇଗଲା।

କିଛି ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ମଧ୍ୟ କେତେବେଳେ କିଛି କଥାକୁ ଭୁଲିଯିବାକୁ ପଡ଼େ।ଧରନ୍ତୁ, ଆପଣଙ୍କ ଅତି ଭଲ ବନ୍ଧୁ ସହ କୌଣସି କଥାକୁ ନେଇ ଝଗଡ଼ା ହେଲା। ରାଗରୁଷା ହେଲା। ମନ ଖରାପ ହେଲା। ସେହି ଘଟଣାକୁ ବାରମ୍ବାର ମନେ ପକାଇଲେ କ’ଣ ହେବ? ରାଗ ଆହୁରି ବଢ଼ିବ। ଦୂରତା ଆହୁରି ବଢ଼ିବ। କିନ୍ତୁ ସେହି କଥାକୁ ଯଦି ଦୁହେଁ ଭୁଲିଯାଆନ୍ତି, ତେବେ ସମ୍ପର୍କଟା ହୁଏତ ପୁଣି ଆଗଭଳି ହୋଇପାରେ। ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ତ ଭୁଲିଯିବାର ମୂଲ୍ୟ ଆହୁରି ଅଧିକ। ଦୁଇଜଣ ମଣିଷ ଏକାଠି ରହିଲେ ମତଭେଦ ହେବ, ଝଗଡ଼ା ହେବ, ଅଭିମାନ ହେବ। କିନ୍ତୁ ପ୍ରତିଟି ଝଗଡ଼ାର ହିସାବ ଯଦି ଜୀବନସାରା ଖାତାରେ ଲେଖି ରଖାଯାଏ, ତେବେ ସେହି ସମ୍ପର୍କରେ ଭଲପାଇବା ପାଇଁ ଜାଗା କେଉଁଠି ରହିବ?

ତେଣୁ କିଛି କଥା ଭୁଲିଯିବା ଦରକାର। କିଛି ଅଭିମାନ ଭୁଲିଯିବା ଦରକାର। କିଛି ଝଗଡ଼ା ଭୁଲିଯିବା ଦରକାର। ଅଫିସଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନ ପର୍ଯ୍ୟନ୍ତ ଆମ ସହ ପ୍ରତିଦିନ ଅନେକ ଘଟଣା ଘଟେ। କେହି କିଛି କହିଦିଏ, କେହି ମନ ଦୁଃଖ ଦିଏ, କେହି ଅବହେଳା କରେ, କେହି ଧୋକା ଦିଏ। ସବୁକିଛି ଯଦି ମନ ଭିତରେ ଧରି ବସିବା, ତେବେ ଜୀବନଟା କେବେ ହାଲୁକା ହେବ?

କିନ୍ତୁ ଏଠି ଗୋଟେ ପ୍ରଶ୍ନ ଅଛି—ସତରେ କ’ଣ ଭୁଲିଯିବା ଏତେ ସହଜ?

ନା।

ଭୁଲିଯିବା କଥାଟା ଯେତିକି ସହଜ ଶୁଣାଯାଏ, ପ୍ରକୃତରେ ସେତିକି ସହଜ ନୁହେଁ। କିଛି ସ୍ମୃତି ମଣିଷ ଚାହିଁଲେ ବି ଭୁଲିପାରେ ନାହିଁ। କିଛି ଘଟଣା ସମୟ ସହ ଧୂସର ହୋଇଯାଏ, କିନ୍ତୁ ପୂରାପୂରି ହଜିଯାଏ ନାହିଁ। ପୁରାଣଠାରୁ ସାମାଜିକ ଚଳଣି ପର୍ଯ୍ୟନ୍ତ ଯଦି ମଣିଷ ସବୁକିଛି ଭୁଲିଯାଇଥାନ୍ତା, ତେବେ ହୁଏତ ଆଜିର ଦୁନିଆ ଏତେ ଆଗକୁ ଆସିପାରିନଥାନ୍ତା। ଇତିହାସ ଆମକୁ ଶିଖାଏ, ଅତୀତ ଆମକୁ ସତର୍କ କରେ। ସେଥିପାଇଁ ସବୁକିଛି ଭୁଲିଯିବା ଭଲ ନୁହେଁ।

କିଛି କଥା ମନେ ରଖିବା ଦରକାର।ଆଉ କିଛି କଥା ଭୁଲିଯିବା ଦରକାର।ଯେଉଁ କଥା ଆପଣଙ୍କୁ କଷ୍ଟ ଦିଏ, ଚିନ୍ତା ବଢ଼ାଏ, ମନରେ ରାଗ ଭରିଦିଏ, ଅନ୍ୟକୁ ଘୃଣା କରିବା ଶିଖାଏ—ସେହି କଥାକୁ ଯେତେ ଶୀଘ୍ର ଛାଡ଼ିପାରିବେ, ସେତେ ଭଲ।

ଯେଉଁ ସ୍ମୃତି ଆପଣଙ୍କ ହସ ଛଡ଼ାଇଦିଏ, ଯେଉଁ ଘଟଣା ଆପଣଙ୍କୁ ଶିଖାଏ, ଯେଉଁ ଲୋକ ଆପଣଙ୍କୁ ଭଲ ମଣିଷ ହେବାକୁ ପ୍ରେରଣା ଦିଏ—ସେମାନଙ୍କୁ ମନେ ରଖନ୍ତୁ।

ବାକି ସବୁକୁ ବେଳେବେଳେ ଭୁଲିଯାଆନ୍ତୁ।

କାରଣ ଜୀବନର ସବୁଠାରୁ ବଡ଼ ଶାନ୍ତି ବୋଧହୁଏ ସବୁକିଛି ପାଇବାରେ ନୁହେଁ, କିଛି କିଛି ଜିନିଷକୁ ଛାଡ଼ିଦେବାରେ ଅଛି।

ତେଣୁ ଭୁଲିଯିବାର ଅଭ୍ୟାସ କରନ୍ତୁ।

ମଝିରେ ମଝିରେ ନିଜ ମନକୁ ଟିକେ ଖାଲି କରନ୍ତୁ।

ଦେଖିବେ—

ମନଟା ହାଲୁକା ଲାଗିବ,

ରାଗ କମିଯିବ,

ଅଭିମାନ ହଜିଯିବ,

ସମ୍ପର୍କଗୁଡ଼ିକ ପୁଣି ସୁନ୍ଦର ଲାଗିବ।

ଆଉ ଜୀବନଟା…

ହୁଏତ ଆଗଠାରୁ ଟିକେ ଅଧିକ ଆନନ୍ଦମୟ ଲାଗିବ।

କାରଣ ସବୁକିଛି ମନେ ରଖି ବଞ୍ଚିବା ଜୀବନ ନୁହେଁ; କିଛି କଥାକୁ ଭୁଲିଯାଇ ହସିପାରିବା ହିଁ ବୋଧହୁଏ ଜୀବନର ସବୁଠାରୁ ବଡ଼ କଳା।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_img

Latest Articles