ମିଛ ଓ କପୋଳକଳ୍ପିତ ଖବରକୁ ନେଇ ବର୍ଷିଲା ବିଜେଡି: ସାଂସଦ କହିଲେ ନବୀନ ଧୃବ ତାରା, ଆମେ ତାଙ୍କର ସପ୍ତର୍ଷି ମଣ୍ଡଳ……

- Advertisement -

ସାଢେ଼ ଚାରିକୋଟି ଓଡ଼ିଆଙ୍କ ସ୍ୱର ନଶୁଭୁ ସଂସଦରେ l ଓଡିଶାର ହକ ଦିଲ୍ଲୀ ଦରବାରେ ଶାଣିତ ନହେଉ l ମହାନଦୀ ଶୁଖିଯାଉ, ପୋଲାଭରମ ଯୋଗୁଁ ମାଲକାନଗିରି ବୁଡିଯାଉ l ପଡୋଶୀ ରାଜ୍ୟ କୋଟିଆରେ ହକ ଜାହିର କରୁ ପୂର୍ବତଟ ରେଳପଥ ସଙ୍କୋଚିତ ହେଉ l ସଂସଦରେ ବିରୋଧୀ ଦଳର ଭୂମିକା ଲିଭାଉଥିବା ବିଜେଡି ସାଂସଦମାନେ ଯେପରି ଏ ପ୍ରସଙ୍ଗ ନଉଠାଇବେ ଏଥିପାଇଁ ହୋଇଛି ଷଡଯନ୍ତ୍ର l ଖାସ ଏଥିପାଇଁ ରଚାଯାଇଛି ବଦନାମର ଷଡଯନ୍ତ୍ର l ୬ମାସ ହେବ ନିର୍ବାଚନ ସରିଛି l ୨୪ ବର୍ଷର ଲମ୍ୱା ଶାସନ କ୍ଷମତାରୁ ହଟିଛି ବିଜେଡି l ତେଣୁ ଏଟା ହିଁ ସଠିକ୍ ସମୟ l ବିଜେଡିର ସ୍ୱରକୁ ଚୁପ୍ କରିବା, ନେତା ଓ କର୍ମୀ ଙ୍କ ମନବଳ ଭାଙ୍ଗିବା l ଏଥିପାଇଁ କାଳେ ବିଜେଡି ସାଂସଦଙ୍କ ବିରୋଧରେ ଅପପ୍ରଚାର୍ କରାଯାଉଛି l ଅପପ୍ରଚାର ମାଧ୍ୟମ ସାଚିଛନ୍ତି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ l ସଂସଦ ଅଧିବେଶନ ଚାଲିଥିବା ବେଳେ ଦିଲ୍ଲୀ ବିଜେଡି ୭ଜଣ ସାଂସଦ ଏକାଠି ହୋଇ ଏପରି ଅଭିଯୋଗ ଆଣିଛନ୍ତି l ବିଜେଡିର ୭ଜଣ ସାଂସଦ ପ୍ରେସ ମିଟ କରି କହିଛନ୍ତି ଯେ ବନ୍ଦ ହେଉ ବିଜେଡି ବିରୋଧରେ ଅପପ୍ରଚାର । ବିଜେପି ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ ନିର୍ଦ୍ଦିଷ୍ଟ ମିଡିଆ ସାଜିଛନ୍ତି ଅସ୍ତ୍ର । ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟିବା ଘଟଣାକୁ ଦିଆଯାଉଛି ମିଛ ରାଜନୀତିର ରଙ୍ଗ । ସାଂସଦମାନେ ମିଳିତ ପ୍ରେସ ମିଟ କରି ଚେତାବନୀ ଦେଇଛନ୍ତି ଯେ ସୁଧୁରିଯାଅ ନହେଲେ ନିଆଯିବ ଆଇନର ଆଶ୍ରୟ । ବିଜେଡି ସାଂସଦ ଓ ବିଜେଡି ବିରୋଧରେ କ୍ରମାଗତ ଭାବେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଚାଲିଥିବା ଅପପ୍ରଚାରକୁ କଡା ସମାଲୋଚନା କରିଛନ୍ତି ଦଳର ସବୁ ସାଂସଦ । ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଅଭିଯୋଗ କରିଛନ୍ତି ଯେ, କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଆମକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି ।
ଏହାକୁ ସେମାନେ ନିନ୍ଦା କରିଛନ୍ତି । ବିଜେଡି ସାଂସଦଙ୍କ ଚରିତ୍ର ସଂହାର କରାଯାଉଛି, ସେମାନେ ବିକ୍ରି ହେବେ, ଅନ୍ୟ ଦଳକୁ ଯିବେ ବୋଲି କହି ଅପପ୍ରଚାର କରାଯାଉଛି। ସାଂସଦଙ୍କ ଫଟୋକୁ ମଧ୍ୟ ବିକୃତ କରାଯାଉଛି। ଏହା ଗଣମାଧ୍ୟମର ଶାଳୀନତା ନୁହେଁ, ଗଣମାଧ୍ୟମ ନିଜର ଲକ୍ଷ୍ମଣ ରେଖା ଅତିକ୍ରମ କରୁଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସବୁ ଦଳର ସାଂସଦମାନେ ଦୈନିକ ଭେଟି ରାଜ୍ଯ ସମସ୍ୟା କଥା କହିଥାନ୍ତି । ବିଜେଡି ସାଂସଦମାନେ ମଧ୍ୟ ସେହିଭଳି ରାଜ୍ୟର କିଛି ସମସ୍ୟାକୁ ନେଇ ତାଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଏହାକୁ ଏକ ଭିନ୍ନ ଢଙ୍ଗରେ ଚିତ୍ରଣ କରାଯାଉଛି । ଆଉ ଏଥିରେ ସମ୍ପୃକ୍ତ ସାଂସଦଙ୍କ ମତାମତ ମଧ୍ୟ ନିଆଯାଉନି ବୋଲି ସେ ଅଭିଯୋଗ କରିଛନ୍ତି ।ସେହିଭଳି ଭୁଲ ଖବର ପ୍ରସାରଣ ନ କରିବାକୁ ଦାବି କରିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ ଓ ମୁନ୍ନା ଖାଁ। ବିଜେଡି ଏକ ଅଛି ଓ ରହିବ । ନବୀନ ପଟ୍ଟନାୟକଙ୍କ ସହ ସବୁ ସାଂସଦ ଅଛନ୍ତି । ଏହାକୁ ନେଇ ମିଛ ଅପପ୍ରଚାର ନକରିବାକୁ ସେ ଦାବି କରିଛନ୍ତି । ସେପରି ସାଂସଦ ସୁଲତା ଦେଓ କହିଛନ୍ତି, ମିଛ ଖବର ପ୍ରସାରଣ କରି ଆସୁରିକ ଆନନ୍ଦ ନିଅନ୍ତୁ ନାହିଁ। ନବୀନ ପଟ୍ଟନାୟକ ଆମର ଧୃବ ତାରା, ଆମେ ତାଙ୍କର ସପ୍ତର୍ଷି ମଣ୍ଡଳ । ଆମେ ନବୀନ ପଟ୍ଟନାୟକଙ୍କୁ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ । ନବୀନ ଆମର କେନ୍ଦ୍ର ବିନ୍ଦୁ, ଆମେ ତାଙ୍କର ସଚ୍ଚୋଟ କର୍ମୀ ବୋଲି ସେ କହିଛନ୍ତି।ବିଜେଡି ସାଂସଦ ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ଯେ, କିଛି ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀ ରାଜନୈତିକ ଉଦ୍ଦେଶ୍ୟ ରଖି ଭୁଲ ଖବର ଦେଉଛନ୍ତି । ସେମାନେ ଚାହୁଁଛନ୍ତି ରାଜ୍ୟର ସ୍ଵାର୍ଥ କଥା ଦିଲ୍ଲୀରେ ନ ଉଠୁ । ବିଜେଡି ବିରୋଧରେ ଅପପ୍ରଚାର କରୁଥିବା ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବିଜେପି ଦ୍ଵାରା ପରିଚାଳିତ ନହେବାକୁ ଅପିଲ କରିଛନ୍ତି । ମିଛ ଖବର ପ୍ରସାରଣ ବନ୍ଦ ନହେଲେ ମାନହାନୀ ମୋକଦ୍ଦମା କରିବେ ବୋଲି ଚେତାଇ ଦେଇଛନ୍ତି ସାଂସଦ ନିରଂଜନ ବିଶି। ଶୁଭାଶିଷ ଖୁଣ୍ଟିଆ ବି କହିଛନ୍ତି, ବିଭ୍ରାନ୍ତକର ଖବର ବନ୍ଦ କରି ସଠିକ୍ ଖବର ଦିଅନ୍ତୁ ବୋଲି ସେ କହିଛନ୍ତି ।
ଗତ ନିର୍ବାଚନରେ ବିଜେପି ସରକାର ଗଠନର ସଂଖ୍ୟା ଗଣିତରେ ଆଗୁଆ ଥିଲେ ବି ସାମଗ୍ରୀକ ଭୋଟ ହାରରେ ବିଜେଡି ଆଗୁଆ ରହିଥିଲାସେହିପରି ଏବେ ବି ନବୀନଙ୍କ କ୍ରେଜ କାହିଁରେ କଣ ? ଏଥିରେ ଭୟଭୀତ ହୋଇ ଦଳ ଓ ଦଳର ସାଂସଦଙ୍କ ବିରୋଧରେ ମିଛ ଖବର ପ୍ରସାରଣ କରି ବଦନାମ କରିବାକୁ ଉଦ୍ଦେଶ୍ୟମୂଳକ ଷଡଯନ୍ତ୍ର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ସାଂସଦ । ଅନ୍ୟପଟେ ବିଜେଡି ସାଂସଦଙ୍କ ମିଳିତ ପ୍ରେସ ମିଟ୍ ନେଇ ବିଜେପି ରାଜ୍ୟ ସଭାପତି କହିଛନ୍ତି ଯେ ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନୀ l ବିଜେଡ଼ି ସାଂସଦ କାହିଁକି ଏମିତି ପ୍ରେସ ମୀଟ କଲେ ସେମାନେ କହିପାରିବେ ବୋଲି ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ କିଛି ଗଣମାଧ୍ୟମକୁ ନିଜର ବୟାନ ଦେଇଛନ୍ତି l ଯାହାକୁ ନେଇ ଦିଲ୍ଲୀରୁ ଭୁବନେଶ୍ଵର ରାଜନୀତି ଉଷ୍ମ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles