ଓୟୁଟିଆରରେ ଇଞ୍ଜିନିୟର୍ସ କପ୍: ସୋଆର ସଫଳତା
ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର) ପକ୍ଷରୁ ଆୟୋଜିତ ଇଞ୍ଜିନିୟର୍ସ କପ୍ ୨୦୨୬ରେ ସଫଳତା ହାତେଇଛି ସୋଆ। ଓୟୁଟିଆର ବିଶ୍ୱବିଦ୍ୟାଳୟର ଏହି ବାର୍ଷିକ କ୍ରୀଡ଼ା ମହୋତ୍ସବକୁ ଗେମ୍ସ ଆଣ୍ଡ ସ୍ପୋର୍ଟ୍ସ ସୋସାଇଟି ଆୟୋଜନ କରିଥିବା ବେଳେ ୭ଟି କ୍ରୀଡ଼ା ବିଭାଗରେ ସଫଳତା ସାଉଁଟିଛି ସୋଆ। ଏହି ସଫଳତା ହାସଲ ନେଇ ବିଜୟୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ।
ଆୟୋଜିତ ପ୍ରତିଯୋଗିତାରେ ସୋଆର ଭଲିବଲ ପୁରୁଷ ଟିମ୍ ରନର୍ସ ଅପ୍ ଟାଇଟଲ ହାସଲ କରିଥିବା ବେଳେ ଖୋ ଖୋ ପୁରୁଷ ଟିମ୍ ଓ ଖୋ ଖୋ ମହିଳା ଟିମ୍ ମଧ୍ୟ ରନର୍ସ ଅପ୍ ଟାଇଟଲ୍ ହାସଲ କରିଛନ୍ତି। ସେହିପରି କବାଡି ପୁରୁଷରେ ମଧ୍ୟ ରନର୍ସ ଅପ୍ ଟାଇଟଲ୍ ହାସଲ କରିଛି ସୋଆ।
କ୍ରିକେଟ ପ୍ରତିଯୋଗିତାରେ ସୋଆ ବିଜେତା କପ୍ ହାତେଇଛି। ସେହିପରି ବ୍ୟାଡମିଂଟନ ମହିଳା ଓ ଇ-ସ୍ପୋର୍ଟ୍ସରେ ମଧ୍ୟ ଚାମ୍ପିଅନ୍ ଟାଇଟଲ୍ ହାସଲ କରିଛି ସୋଆ।
ବୁଧବାର ବିଜେତା ଟିମ୍ ସୋଆର ପ୍ରତିଷ୍ଠାତା ସଭାପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ବେଳେ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉତୋରତର କାମନା କରିଛନ୍ତି ପ୍ରଫେସର ନାୟକ।
ସୂଚନା ଯୋଗ୍ୟ ଯେ କବାଡି ଟିମ୍ର କୋଚ୍ ବିରଂଚି ନାରାୟଣ ନାୟକ ରହିଥିବା ବେଳେ ଖୋ ଖୋର କୋଚ ଭାବେ ରାକେଶ ଦାସ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ଟେବୁଲ ଟେନିସ୍ କୋଚ ସାହିଦ୍ ହୁସେନ୍ ରହିଥିବା ବେଳେ ଭଲିବଲ୍ର ଆସିଷ୍ଟାଂଟ କୋଚ ହେଉଛନ୍ତି ପ୍ରିୟମ୍ବଦା ଦାଶ।
ବିଜେତା ଟିମ୍ ସୋଆର ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କରିବା ସମୟରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଫ୍ୟାକଲ୍ଟି କୋଅର୍ଡିନେଟର ସ୍ପୋର୍ଟ୍ସ (ଆଇଟିଇଆର୍) ଡକ୍ଟର ତନ୍ମୟ ପରିଡ଼ା, ଆସିଷ୍ଟାଂଟ ସ୍ପୋର୍ଟ୍ସ ମ୍ୟାନେଜର ଶ୍ରୀ ପ୍ରିୟମ୍ ମଲ୍ଲିକ, ବିଜେତା ଟିମ୍ ଓ ତାଙ୍କ କୋଚ ପ୍ରମୁଖ ଉପସ୍ଥିତ ଥିଲେ।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy