ଚାରିଦିନ ପରେ ସାଆନ୍ତେ ଆସିବେ

- Advertisement -

() ସୁସ୍ଥ ହୋଇଛନ୍ତି ଜଗତର ସାଆନ୍ତେ । ରଥଯାତ୍ରା ଆଉ ଚାରିଦିନ ବାକି । ଭକ୍ତ ଓ ଭଗବାନଙ୍କ ମହାମିଳନର ଅପୂର୍ବ ସମାହାର ହେଉଛି ରଥଯାତ୍ରା। ବିଶ୍ବର ଦେବତା ଜଗତର ନାଥ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ଛାଡି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡଦାଣ୍ଡକୁ ଓହ୍ଲାଇଆସିବେ । ରଥ ଉପରେ ବସି ମହାପ୍ରଭୃ ଭକ୍ତଙ୍କୁ ଦେଖି ଖୁସି ହେବେ, ଆଉ ଭକ୍ତମାନେ ମଧ୍ୟ ମହାପ୍ରଭୃଙ୍କୁ ରଥ ଉପରେ ଦେଖିବେ । ରଥେ ବାମନଂ ଦୃଷ୍ଟ୍ବା ସର୍ବ ପାପ କ୍ଷୟସୀ, ଏହି ଭାବନାରେ ପ୍ରତିଟି ଶ୍ରୀଜଗନ୍ନାଥ ପ୍ରେମୀ ବର୍ଷକୁ ଥରେ ତାର ଆରାଧ୍ୟଙ୍କୁ ରଥରେ ବିଜେ ହେବାକୁ ଅନେଇ ବସିଥାଏ । ଭକ୍ତିର ଦିଅଁ ହେଉଛନ୍ତି କାଳିଆ ସାଆନ୍ତେ। ବର୍ଷକୁ ଥରେ ଭକ୍ତଙ୍କ ସହ ଝୁମିବାକୁ, ମନଖୋଲି ଦେଖିବାକୁ ଓ ସବୁକିଛି ବୁଝିବାକୁ ସାଆନ୍ତେ ଯେମିତି ବାହାରିପଡନ୍ତି । ତାହା ମଣିଷ ତ ମଣିଷ ୩୩କୋଟି ଦେବାଦେବୀ ଅପେକ୍ଷା କରି ରହିଥାଆନ୍ତି ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ । କି ଅପୂର୍ବ ସଂଯୋଗ ଏ ଭକ୍ତ ଓ ଭଗବାନଙ୍କ ମଧ୍ୟରେ । ନନ୍ଦିଘୋଷ ରଥରେ ବସି ସାଆନ୍ତେ ସବୁ ଦେଖନ୍ତି ଓ ସମସ୍ତଙ୍କ କଥା ବୁଝନ୍ତି । ଯିଏ ଯେମିତି ଚାହିଁଛି ସାଆନ୍ତେ ସେମିତି ତା ପାଖରେ ପହଞ୍ଚନ୍ତି । ଭକ୍ତ ସାଆନ୍ତେଙ୍କୁ ଅପେକ୍ଷା କରିଥାନ୍ତି ତ ସାଆସ୍ତେ ବି ଭକ୍ତ ଅପେକ୍ଷାରେ ଚାହିଁବସିଥାନ୍ତି । ବଡଦାଣ୍ଡରେ ନଥାଏ ବଡ- ସାନ , ଧନୀ-ଗରିବ, ଜାତି-ଅଜାତି କି ଧର୍ମ ଓ କି ବିଚାର । ସାଆନ୍ତେ ସମସ୍ତଙ୍କ ଭିତରେ ଓ ସମସ୍ତେ ସାଆନ୍ତେଙ୍କ ଭିତରେ ହଜିଯାଆନ୍ତି । ବିଶ୍ବର ସବୁଠାରୁ ବଡଯାତ୍ରା ପୂରା ବିଶ୍ବକୁ ଦେଇଥାଏ ବଡବାର୍ତ୍ତା । ବିଶ୍ବର ମୁରବୀ କାଳିଆ ସାଆନ୍ତେ ଝୁଲିଝୁଲି ରତ୍ନବେଦୀରୁ ରଥକୁ ପହଣ୍ଡିରେ ବିଜେ କରନ୍ତି। ସାଆନ୍ତେଙ୍କ ସହ ଭକ୍ତ ବି ଝୁମେ । କେତେ କଣ ମାନସିକ, କେତେ କଣ ଭାବନା, କେତେ ରାଗ, କେତେ ଋଷା, କେତେ ଖୁସି, କେତେ ଆଶା ସବୁ କିଛିକୁ ବିଶ୍ବାସର ଦେବତା ବୁଝନ୍ତି ରଥ ଉପରେ ବସି ଗୋଟିଏ ଝଲକରେ । ଚକାଚକା ଆଖି ଦେଖି ଜୀବନ ପୂରା ଚକଚକ ହୋଇଯାଏ ବଡଦାଣ୍ଡରେ । ଭଗବାନ ଓ ଭକ୍ତର ମହାମିଳନର ପର୍ବ ରଥଯାତ୍ରାରେ ଯେମିତି ଦିନରାତି, ଖରା ବର୍ଷା କିଛି ବି ଜଣାପଡେନା ସାଆନ୍ତେଙ୍କ ପାଇଁ । ଯେମିତି ସବୁକିଛି ସାଆନ୍ତେଙ୍କ ନିର୍ଦ୍ଦେଶରେ ସୁରୁଖୁରୁରେ ଚାଲେ । ଆନନ୍ଦ ଉଲ୍ଲାସ ଭିତରେ ସାଆନ୍ତେ ରତ୍ନବେଦୀରୁ ଜନ୍ମବେଦୀକୁ ୯ଦିନ ଧରି ମାନବୀୟ ଲୀଳା କରନ୍ତି । ମାନବଠାକୁରଙ୍କ ଏହି ମାନବୀୟ ଲୀଳାକୁ ଦେଖିବାକୁ ଭକ୍ତ ବ୍ୟାକୁଳ । ଭକ୍ତର ଭକ୍ତି ଭାବରେ ବନ୍ଧା ସାଆନ୍ତେ ଶ୍ରୀଗୁଣ୍ଡିଚା ଦିନ ବଡଦାଣ୍ଡକୁ କିପରି ଓହ୍ଲାଇ ଆସିବେ ସେଥିପାଇଁ ତାଙ୍କ ମନ ଅଥୟ ହୋଇପଡେ । ବଡଦାଣ୍ଡକୁ ବଡ ଠାକୁର କାଳିଆ ସାଆନ୍ତେ ଓହ୍ଲାଇବା ପରେ ଭକ୍ତଙ୍କୁ ଖୋଜନ୍ତି । ଭକ୍ତଙ୍କୁ ଦେଖି ସାଆନ୍ତେଙ୍କ ପେଟ ପୁରିବା ପରେ ରଥରେ ପ୍ରଭୁ ବିଜେ କରନ୍ତି ନିଜ ଜନ୍ମ ବେଦୀକୁ ଯିବା ପାଇଁ । ଭକ୍ତଙ୍କ ସାଆନ୍ତେ ନିର୍ଦ୍ଦେଶ ଦିଅନ୍ତି ଶୀଘ୍ରଶୀଘ୍ର ଟାଣିନିଅ ମତେ ସରଧା ବାଲିକୁ । ମାଉସୀମାନେ ମୋର ଅପେକ୍ଷା କରଛି ମୋ ବାଟ ଚାହିଁ । ତାହାରି ଭିତରେ ବି ଯଦି କେଉଁ ଭକ୍ତ କେଉଁ କାରଣରୁ ବଡ ଦାଣ୍ଡରେ ପହଞ୍ଚିନଥିବ ରଥରେ ସାଆନ୍ତେ ବ୍ରେକ ଲଗାଇ ଅଟକି ଯାଆନ୍ତି। ସାଆନ୍ତେଙ୍କ ବଡପଣ ସବୁବେଳେ ପୁରା ବଡ ଉଦାହରଣ ବିଶ୍ବକୁ ଦେଇ ରଥଯାତ୍ରାରେ। ହେ ବଡ ସାଆନ୍ତେ ବିଶ୍ବର ବଡବଡ ବିପଦକୁ ଟଳିଦିଅ। ସାଆନ୍ତେ ତମ ପାଖରେ କେବଳ ଗୋଟିଏ ଗୁହାରୀ ରଥକୁ ଡାକିବ ଓ ଚକାନୟନ ମତେ ଟିକେ ଚାହିଁବ।

ଜୟ ଜଗନ୍ନାଥ

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles